ପିସିସି ରାଜ୍ୟ ସମ୍ପାଦକଙ୍କ ନାମରେ ଟଙ୍କା ଆତ୍ମସାତ ଓ ହତ୍ୟା ଧମକ ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ମାର୍ଚେଣ୍ଟ ଆସୋସିଏସନର ପୂର୍ବତନ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଏବଂ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏନଏସି ଦୋକାନ ଗୃହ ଖଣ୍ଡିଏ ଲେଖାଏଁ ବନ୍ଦୋବସ୍ତ କରାଇ ଦେବାର ନିର୍ଭର ପ୍ରତିଶୃତି ଦେଇ ପୂର୍ବତନ ସଭାପତି ୩୫ ଜଣ ସଦସ୍ୟଙ୍କ ଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ।କିନ୍ତୁ ଅହେତୁକ ବିଳମ୍ବ ହେତୁ ଟଙ୍କା ଫେରାଇବା ପାଇଁ କହିବାରୁ ସେ ଓଲଟି ହତ୍ୟା ଧମକ ଦେବା ସମ୍ପର୍କରେ ହୋଲସେଲ ପରିବା ବ୍ୟବସାୟୀ ଦେବରାଜ ନାହାକଙ୍କ ସମେତ ୩୫ଜଣ ସଦସ୍ୟ ଶମ୍ଭୁ ପାଣିଗ୍ରାହୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି।ଏନେଇ ସେମାନେ ଶମ୍ଭୁ ପାଣିଗ୍ରାହୀଙ୍କ ବିରୋଧରେ ବୁଧବାର ସ୍ଥାନୀୟ ହିଞ୍ଜିଳି ଥାନାରେ ସ୍ଥାନୀୟ କ୍ଷୁଦ୍ର ପରିବା ବ୍ୟବସାୟୀ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପ୍ରଦାନ କରିଛନ୍ତି। ସେମାନେ ତାଙ୍କୁ ଦେଇଥିବା ଲକ୍ଷାଧିକ ଟଙ୍କା ଫେରାଇ ଆଣିବା ସକାଶେ ଥାନା ଅଧିକାରୀଙ୍କୁ ନିବେଦନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି। ଦେବରାଜଙ୍କ ଅଭିଯୋଗ ଅନୁଯାୟୀ, ଶମ୍ଭୁ ପାଣିଗ୍ରାହୀ ସ୍ଥାନୀୟ ହିଞ୍ଜିଳିକାଟୁ ମାର୍ଚେଣ୍ଟ ଆସୋସିଏସନ ର ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସଭାପତି ପାଣିଗ୍ରାହୀ ଏନଏସି ଗୃହ ଖଣ୍ଡିଏ କରାଇ ଦେବାର ପ୍ରତିଶୃତି ଦେଇ ଗତ ୨୦୧୮ ମସିହା ଜାନୁଆରୀ ୮ ତାରିଖରେ ସେ ଦେବରାଜଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ।ଉକ୍ତ ଦିନ ସେହି ଏକ ପ୍ରକାର ପ୍ରତିଶୃତି ଦେଇ ଅନ୍ୟ ୩୪ ଜଣ ସଦସ୍ୟଙ୍କ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କା ପୂର୍ବତନ ସଭାପତି ନେଇଥିବା ଦେବରାଜ ଅଭିଯୋଗ କରିଛନ୍ତି।ସେମାନେ ଦୋକାନ ଗୃହ ପାଇବା ସମ୍ପର୍କରେ ତାଙ୍କୁ ବହୁବାର ଯୋଗାଯୋଗ କରି ଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇ ଦିନ ଗଡ଼ାଇ ଚାଲିଥିଲେ।ଫଳରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସମସ୍ତେ ସଦସ୍ୟ ଟଙ୍କା ଫେରାଇବା ପାଇଁ ତାଙ୍କୁ କହିବାରୁ ସେ ଓଲଟି ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରି ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘ ସଭାପତି ଅନିଲ ମହାପାତ୍ରଙ୍କ ନେତୃତ୍ତ୍ୱରେ ସଦସ୍ୟ ମାନେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦେବରାଜ ନାହାକ, ମାଧବ ଗୌଡ଼, କୃଷ୍ଣ ଚନ୍ଦ୍ର ଗୌଡ଼,ଅନ୍ତର୍ଯ୍ୟାମୀ ପଣ୍ଡା, ଭାଗିରଥି ସ୍ୱାଇଁ,ଦୁର୍ଗା ମାଧବ ବାଡତ୍ୟା,ଯୁଗଳ କିଶୋର ପଣ୍ଡା,ନାରାୟଣ ମଳିକ,ବିଜୟ ଚନ୍ଦ୍ର ପାତ୍ର ଓ ବାଉରୀ ବନ୍ଧୁ ସାହୁଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ । ଘଟଣା ନେଇ ଥାନାରେ ୫୨୧/୨୧ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଅନ୍ୟ ପକ୍ଷରେ ଘଟଣା ନେଇ ପିସିସି ରାଜ୍ୟ ସମ୍ପାଦକ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ସମ୍ପୁର୍ଣ୍ଣ ଉଦ୍ଦେଶ୍ୟ ମୂଳକ ଓ ଭିତ୍ତିହୀନ । ଘଟଣାର କୈାଣସି ସତ୍ୟତା ନାହିଁ ।


