ପିୟୁସି ସାର୍ଟିଫିକେଟ୍ର ବୈଧତା ସରିବା ପୂର୍ବରୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମ୍ପ୍ରତି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସରକାର ବିଭିନ୍ନସ୍ତରରେ ଆଇନ୍ ଲାଗୁ କରୁଛନ୍ତି । ସେଥିମଧ୍ୟରୁ ଯାନବାହନର ପ୍ରଦୂଷଣ ପରୀକ୍ଷା ଅନ୍ୟତମ, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରଚଳିତ ଆଇନ ଅନୁଯାୟୀ ଗୋଟିଏ ଦୁଇଚକିଆ ଯାନ ପ୍ରତି ୬ ମାସ ଅନ୍ତରରେ ପ୍ରଦୂଷଣ ପରୀକ୍ଷା କରିବା ବାଧ୍ୟ । ଗାଡ଼ିର ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ (ପିୟୁସି) ନଥିଲେ ଫାଇନ୍ । ଟ୍ରାଫିକ୍ ପୁଲିସ୍ ହୁଅନ୍ତୁ ବା ପରିବହନ ବିଭାଗର କର୍ମଚାରୀମାନେ ଗାଡ଼ି ଯାଞ୍ଚ କଲାବେଳେ ଚାଳକ ନିଜ ଗାଡ଼ିର କାଗଜପତ୍ର ଦେଖାଇଥାନ୍ତି । ଅନେକ ସମୟରେ ଦେଖିବାକୁ ମିଳୁଛି ଚାଳକର ସବୁ କାଗଜପତ୍ର ଠିକ୍ଠାକ୍ ଥିବାବେଳେ ପିୟୁସି ସାର୍ଟିଫିକେଟର ଅବଧି ଶେଷ ହୋଇଯାଇଥାଏ । ଏଣୁ ଚାଳକ ବାଧ୍ୟ ହୋଇ ଫାଇନ୍ ଭରିଥାଏ । ଏହି ଫାଇନ୍ ଚାଳକକୁ ଗଭୀର ଆଘାତ ଲାଗିଥାଏ । ଅନେକ ଚାଳକ କଳବଳେ କୌଶଳେ କିଛି ହାତଗୁଞ୍ଜା ଦେଇ ଖସିଯାଇଥାନ୍ତି । ପିୟୁସି ସାର୍ଟିଫିକେଟର ଅବଧି ସରିବା ପୂର୍ବରୁ ଯଦି ଗାଡ଼ି ଚାଳକର ମୋବାଇଲ୍କୁ ପ୍ରଦୂଷଣ ପରୀକ୍ଷା ସମ୍ପର୍କରେ ଏକ ଆଲର୍ଟ ମେସେଜ୍ ଦିଆଯାଆନ୍ତା, ତେବେ ଅନେକ ଚାଳକ ଏ ଫାଇନ୍ରୁ ବଞ୍ôଚପାରନ୍ତେ । ଏତଦ୍ସହ ଚାଳକକୁ ପ୍ରଦୂଷଣ ସମ୍ପର୍କରେ ସଚେତନ କରାଯାଇପାରନ୍ତା । ଆହୁରି ମଧ୍ୟ ରାଜକୋଷକୁ ନିରନ୍ତର ଭାବେ ରାଜସ୍ୱ ଆସିପାରନ୍ତା । ଗୋଟିଏ ଦୁଇଚକିଆ ଯାନରୁ ପ୍ରଦୂଷଣ ପରୀକ୍ଷା ବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଏସ୍ଟି ୫ ଟଙ୍କା ୪୦ ପଇସା ହିସାବରେ ୧୦ ଟଙ୍କା ୮୦ ପଇସା ନେଇଥାନ୍ତି । ଯାହା ରାଜକୋଷକୁ ଯାଇଥାଏ । ଏଣୁ ଗାଡ଼ିଚାଳକର ପିୟୁସି ସାର୍ଟିିଫିକେଟର ବୈଧତା ସରିବା ପୂର୍ବରୁ ଏକ ଆର୍ଲଟ ମେସେଜ ଦେବା ନିତାନ୍ତ ଜରୁରୀ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ପରିବହନ ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।