ପୁଅକୁ ଛୁରୀ ଭୁଷି ହତ୍ୟା ଉଦ୍ୟମ ଘଟଣା ଆକ୍ରମଣକାରୀ ବାପା ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ଅପରାହ୍ନରେ ମଦ୍ୟପ ବାପା ଛୁରୀରେ ଭୁଷି ନାବାଳକ ପୁଅକୁ ହତ୍ୟା ଉଦ୍ୟମ କରିଥିଲେ। ଘଟଣା ନେଇ ଆହତଙ୍କ ମା ବାସନ୍ତି ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୯୨/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଗୁରୁବାର ସକାଳେ ଆକ୍ରମଣକାରୀ ବାପା ମନୋଜ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁନିଳ କଣ୍ଡାଗୋରି କହିଛନ୍ତି। ପ୍ରକାଶ ଯେ, ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ମନୋଜ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ ମଧ୍ୟରେ ଗତ ୫ଧରି ପାରିବାରିକ କଳହ ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ମନୋଜ, ସ୍ତ୍ରୀ ବାସନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୭ ମାସ ପୂର୍ବେ ସ୍ବାମୀଙ୍କ ନିର୍ଯାତନା ସହ୍ୟ କରିନପାରି ବାସନ୍ତୀ ୨ପୁଅ ଶିବ (୧୩) ଓ ସୁମନ(୧୦) ଙ୍କୁ ସାଥିରେ ନେଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଭୁବନେଶ୍ବର ଚାଲି ଯାଇଥିଲେ। ଶନିବାର ମନୋଜ ଭୂବନେଶ୍ବରରେ ପହଞ୍ଚି ଭବିଷ୍ୟତରେ ଏଭଳି ଘଟଣା ନକରିବାକୁ ପ୍ରତିଶୃତି ଦେବା ସହ ସ୍ତ୍ରୀ ଓ ୨ ପୁଅଙ୍କୁ ସାଙ୍ଗରେ ନେଇ ସୋମବାର ଗାଁ କୁ ଫେରିଥିଲେ। ମଙ୍ଗଳବାର କୈାଣସି କଥାକୁ କେନ୍ଦ୍ର କରି ସ୍ବାମୀ – ସ୍ତ୍ରୀ ଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏଥିରେ ମନୋଜ ଉତ୍ୟକ୍ତ ହୋଇ ୨ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ବାପାଙ୍କ ହତ୍ୟା ଧମକ ଶୁଣି ୨ ପୁଅ ଘରୁ ବାହାରକୁ ଚାଲି ଯାଇଥିଲେ। ବୁଧବାର ମନୋଜ ମଦ ନିଶାରେ ଚୁର ହୋଇ ଗାଁ ଦାଣ୍ଡରେ ଯାଉଥିବା ବେଳେ ସାନପୁଅ ସୁମନ ଖେଳୁଥିବା ଦେଖି ଧରିଥିବା ଏକ ଧାରୁଆ ଛୁରୀରେ ମୁହଁକୁ ଆକ୍ରମଣ କରିଥିଲା। ଆକ୍ରମଣରେ ସୁମନ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଯିବା ପରେ ଆକ୍ରମଣକାରୀ ବାପା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ବାସନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପୁଅ ସୁମନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବାସନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।