ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ବାପା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୁରିପଦର ଗ୍ରାମର ମୁନା ଗୌଡ ନାମକ ଜଣେ ଶ୍ରମିକଙ୍କ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ ପରିସରରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୁନା ଙ୍କ ବାପା ନିରଞ୍ଜନ ଗୌଡ ସୋମବାର ଦିଗପହଣ୍ଡି ଥାନା ରେ ପହଞ୍ଚି ତାଙ୍କ ପୁଅ ଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ମାମଲା ନଂ.୨୮୯/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ପୋଲିସ ଟିମ ବୁରିପଦର ଗାଁ ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଇ ଥିଲେ। ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ନିରଞ୍ଜନ ଏବଂ ତାଙ୍କ ପୁଅ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୬ ତାରିଖ ଅପରାହ୍ନ ପ୍ରାୟ ୪ ଟାରେ ନିରଞ୍ଜନ ବସା ଘରେ ଥିବା ବେଳେ ତାଙ୍କ ପୁଅ ମୁନା ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ କମ୍ପାନୀ ରୁ ଫୋନ୍ ଆସିଥିଲା। ସେ ସେଠାକୁ ଯାଇ ଦେଖିବା ବେଳେ ତାଙ୍କ ପୁଅ ମୁନା ସେଠାରେ ଚେତା ଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ। ସେ ଓ ସେଠାକାର କିଛି କମ୍ପାନୀ କର୍ମଚାରୀ ମୁନା ଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘୋର ଇ ହସପିଟାଲ ରେ ଭର୍ତ୍ତି କରିଥିଲେ। ରବିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିତ୍ସାଧୀନ ଅବସ୍ଥାରେ ସେଠାକାର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ବାପା ନିରଞ୍ଜନ ସେଠାରେ ଏକୁଟିଆ ଥିବାରୁ ଗାଡି ଯୋଗେ ମୃତଦେହ କୁ ନେଇ ସେ ସୋମବାର ସକାଳେ ନିଜ ଗାଁ ଦିଗପହଣ୍ଡି ବ୍ଲକ ବୁରୀପଦର ଘରେ ପହଁଚି ଥିଲେ। ପରେ ସେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି। ମୃତଦେହ ର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।