ପୁଅର ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ, ଦୁଇଭାଇ ଗୁରୁତର

ହାଟଡିହ,( ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ପୁଅର ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଭାଇ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପ୍ରମୋଦ କୁମାର ଓଝା (୫୮) । ଗୁରୁତରମାନେ ହେଲେ ରଞ୍ଜନ କୁମାର ଓଝା (୨୫) ଓ ବାସୁଦେବ ଓଝା (୨୨)। ପ୍ରାପ୍ତ ସୂଚନା ଅନୁସାରେ, ପ୍ରମୋଦଙ୍କ ବଡ଼ପୁଅ ରଞ୍ଜନ ସୀମା ସୁରକ୍ଷା ବଳରେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ । ସେ ଅରୁଣାଚଳ ପ୍ରଦେଶରେ ରହୁଥିଲେ । ଘରେ ରଞ୍ଜନଙ୍କ ପତ୍ନୀ ରହୁଥିଲେ । ପାରିବାରିକ କଳହ ଯୋଗୁଁ ରଞ୍ଜନ ସପ୍ତାହେ ହେଲା ଛୁଟିରେ ଘରକୁ ଆସିଥିଲେ । ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଘରୋଇ କଳିକୁ ନେଇ ରଞ୍ଜନ ଓ ବାପା ପ୍ରମୋଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ରଞ୍ଜନ ଉତ୍ତ୍ୟକ୍ତ ହୋଇ ବାପା ପ୍ରମୋଦଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ମାଡ଼ରେ ପ୍ରମୋଦ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ । ସାନ ଭାଇ ବାସୁଦେବ (୨୨) ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ରଞ୍ଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ବାସୁଦେବଙ୍କ ପିଠିରେ ଭୁଜାଲି ବାଜିଛି । ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସାଇଁକୁଳ ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ । ରଞ୍ଜନ ଓ ବାସୁଦେବଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଓ ସାଇଁକୁଳ ଫାଣ୍ଡି ଅଧିକାରୀ ଅଶୋକ ପହି ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ