ପୁଅର ମୃତ୍ୟୁକୁ ସହ୍ୟ କରିନପାରି ହୃଦଘାତରେ ମା’ର ମୃତ୍ୟୁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ବ୍ଳକ ଗୋଦରାପଲ୍ଲୀ ଗ୍ରାମରେ ଶନିବାର ପୂର୍ବାହ୍ନରେ ଘଟିଛି ଏକ ଅଭାବନୀୟ ଘଟଣା । କୌଣସି ରୋଗରେ ଆକ୍ରାନ୍ତ ହେବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ସକାଶେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ପଂହଚିବାରେ ବିଳମ୍ବ ହେବାରୁ ଗୁରୁତର ଯୁବକ ଜଣକଙ୍କ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁକୁ ସହ୍ୟ କରିନପାରି ପୁଅ ମୃତ୍ୟୁର କିଛି ସମୟ ପରେ ମା’ର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ମୃତକଙ୍କ ସର୍ମ୍ପକୀୟ କାନ୍ଧ ନଦେବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଭୟଙ୍କ ମୃତ ଦେହକୁ ଗ୍ରାମ ଶଶ୍ମାନରେ ପୋତି ଦିଆଯାଇଥିବା ଜଣାପଡ଼ିଛି ।ପ୍ରକାଶ ଯେ, ହିଞ୍ଜିଳି ବ୍ଳକ ଗୋଦରାପଲ୍ଲୀ ଗ୍ରାମ ରାଉଳ ସାହିର ନରେନ୍ଦ୍ର ରାଉଳ (୪୪)ଇ ତାଙ୍କ ମା’ ଜମ୍ଭୁ ରାଉଳ (୭୬) ଗତ ଏକ ସପ୍ତାହ ଧରି ଜ୍ୱରରେ ଆକ୍ରାନ୍ତ ଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡ଼ିଛି । ଜ୍ୱରରେ ଉଭୟ ମା’ ଓ ପୁଅ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଚିକିତ୍ସା ସକାଶେ କୌଣସି ଡ଼ାକ୍ତରଖାନାରେ ଭର୍ତି ହୋଇନଥିଲେ । ନିକଟସ୍ଥ ଏକ ଗ୍ରାମର ଔଷଧ ଦୋକାନରୁ ଔଷଧ କିଣି ଖାଉଥିବା ଜଣାପଡ଼ିଛି । ଶନିବାର ପୂର୍ବାହ୍ନରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ଯୁବକ ଜଣକ ଚିକିତ୍ସା ସକାଶେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କୌଣସି କାରଣରୁ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ଘଟିଥିଲା । ତେବେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପଂହଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ସହ୍ୟ କରିନପାରି ପୁଅ ମୃତ୍ୟୁର କିଛି ସମୟ ମଧ୍ୟରେ ମା’ଙ୍କ ମୃତ୍ୟୁ ଘଟିଥିଲା । ଉଭୟଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଶବ ସତ୍କାର କରିବା ସକାଶେ ସଂପୃକ୍ତ ପରିବାରର କୌଣସି ସର୍ମ୍ପକୀୟ କରୋନା ହୋଇଥିବା ସନ୍ଦେହ କରି କାନ୍ଧ ଦେବାକୁ ଆସିନଥିଲେ । ଦୀର୍ଘ ସମୟ ଧରି ଘର ମଧ୍ୟରେ ଉଭୟଙ୍କ ମୃତ ଶରୀର ପଡ଼ି ରହିଥିଲା । ଖବର ପାଇ ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ଅବଗତ କରାଇଥିଲେ । ପରେ ବ୍ଳକ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଉଭୟଙ୍କ ଶବକୁ ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା ଓ ଗ୍ରାମର କିଛି ଉତ୍ସାହୀ ଯୁବକ ନେଇ ଗ୍ରାମ ଶଶ୍ମାନରେ ପୋତି ଦେଇଛନ୍ତି ।


