ପୁଣି ଅଲୋଡ଼ା ଶିଶୁ କନ୍ୟା
କୋଦଳା, (ଯୁଗାବ୍ଦ ନ୍ୟୁଜ) : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । କୋଦଳା ଥାନା ଅଧିନସ୍ତ ମଲ୍ଲିକେଶର ଗ୍ରାମ ଗୋଟିଏ ପୋଖରୀ ନିକଟରେ ଏକ ଶିଶୁ କନ୍ୟା ସକାଳ ୧୦ ଘଣ୍ଟ ସମୟରେ ପଡ଼ିଥିବା ଦେଖିବାକୁ ମିଳିଛି । ସୁଚନାଯୋଗ୍ୟ, ଗ୍ରାମର କେତେକ ବ୍ୟକ୍ତି ବିଶେସ୍ୱର ମନ୍ଦିର ପୋଖରୀରେ ଗାଧୋଉ ଥିବା ବେଳେ ଗୋଟିଏ ଶିଶୁ କନ୍ୟାକୁ ନଜରକୁ ଆସିଥିଲା । ଗ୍ରାମର ଜୋତ୍ସନା ପ୍ରଧାନ, ପ୍ରଶ୍ନ କୁମାର ପ୍ରଧାନ, ଅନିଲ କୁମାର ଡାକୁଆ, ରାଘବ ବିଶୋଇ ଓ ରାଜେଶ ପ୍ରଧାନ ସଙ୍ଗେ ସଙ୍ଗେ ଗ୍ରାମର ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ତତକ୍ଷଣ କୋଦଳା ପୋଲିସ ଥାନାକୁ ଏହି ବିଷୟରେ ଖବର ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ବେହେରା ଓ କୋଦଳା ଥାନା ଏସଆଇ ଶ୍ରୀ ଅନିଲ୍ କୁମାର ସାହୁ ପହଞ୍ଚିଥିଲେ , ସମସ୍ତଙ୍କ ଉପସ୍ଥିତିରେ ଶିଶୁ କନ୍ୟାକୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡ଼ା.ଚିନ୍ମୟ ମିଶ୍ର କହିଥିଲେ ।ସମସ୍ତ ଅଧିକାରୀ, ସରପଞ୍ଚଙ୍କ ଉପସ୍ଥିତିରେ ଚାଇଲଡ ଲାଇନ କୁ ଖବର ଦିଆଯାଇଥିଲା । ଯାହାଦ୍ୱାରା ଚାଇଲଡ ଲାଇନର ୨ ଜଣ କର୍ମଚାରୀ ବଳରାମ ମଲ୍ଲିକ ଓ ଅନୁସୟା ମଲ୍ଲିକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶିଶୁ କନ୍ୟାକୁ ନିଜ ପକ୍ଷକୁ ନେଇଥିବାର ସୂଚନା ମିଳିଛି ।