ପୁଣି ଘାଇଲା କଲା କଙ୍ଗାରୁ ସେନା, ଲଗାତାର ପରାଜୟ ସହ ଶୃଙ୍ଖଳା ହାରିଲା କୋହଲି ବାହିନୀ
ନୂଆଦିଲ୍ଲୀ: କଙ୍ଗାରୁ ସେନାର ଭୟଙ୍କର ରନ୍ ସ୍ଖଳନରେ ପୁଣି ଥରେ ପୋତି ହୋଇଯାଇଛି କୋହଲି ବାହିନୀ। କୋଭିଡ୍ ସଙ୍କଟ ପରର ପ୍ରଥମ ଶୃଙ୍ଖଳାରେ ଲଗାତାର ପରାଜୟ ବରଣ କରି ସିଡ୍ନିରେ ଶୃଙ୍ଖଳା ହାରିଛି ଟିମ୍ ଇଣ୍ଡିଆ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ଭାରତ ଅଦ୍ଭୂତପୂର୍ବ କଟକଣା ଓ କଠୋର ଜୈବ ବଳୟ ଭିତରେ ଖେଳିଥିବା ପ୍ରଥମ ମ୍ୟାଚ୍କୁ ୬୬ ରନ୍ରେ ହାରିଥିଲା। ରବିବାର ନିର୍ଣ୍ଣାୟକ ଦ୍ବିତୀୟ ମୁକାବିଲାକୁ ୫୧ ରନ୍ରେ ହାରି କୋଭିଡ୍-୧୯ ପରର ପ୍ରଥମ ଶୃଙ୍ଖଳାରେ ପୂରା ଆତ୍ମସମର୍ପଣ କରିବାର ଅପଯଶ ମୁଣ୍ଡାଇଛି। ଭାରତ ଯେ ଚଳିତ ଗସ୍ତରେ ସବୁଦିଗରୁ ଦୁର୍ବଳ ପ୍ରଦର୍ଶନ କରୁଛି ସେକଥା ଅଧିନାୟକ କୋହଲି ମ୍ୟାଚ୍ ଶେଷ ପରେ ହତାଶାର ସହ ସ୍ବୀକାର କରିଥିଲେ। ସେପଟେ ପୂର୍ବତନ ଅଧିନାୟକ ତଥା ତେଜସ୍ବୀ ତାରକା ଷ୍ଟିଭେନ୍ ସ୍ମିଥ୍ (୧୦୪ ରନ୍, ୬୪ ବଲ୍, ୧୪ ଚୌକା, ୨ ଛକା) ଆଉ ଏକ ଚିତ୍ତାକର୍ଷକ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟ ଉପହାର ଦେଇଛନ୍ତି। ୫୦ ପ୍ରତିଶତ ଆସନ ପୂରଣ ହୋଇଥିବା ସିଡ୍ନି ପଡ଼ିଆର ୧୭୫୭୩ ଦର୍ଶକଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆ ୨୦୧୬-୧୭ ଋତୁରେ ପାକିସ୍ତାନକୁ ପରାସ୍ତ କରିବା ପରେ ଘରୋଇ ପରିବେଶରେ ପ୍ରଥମ ଦ୍ବିପାକ୍ଷିକ ଏକଦିବସୀୟ ଶୃଙ୍ଖଳା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଦୁଇଟି ବଡ଼ ପରାଜୟ ପରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବୁଧବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ସମ୍ମାନ ରକ୍ଷା ସହ ସାନ୍ତ୍ବନାମୂଳକ ବିଜୟ ହାସଲ କରିବାର ଶେଷ ସୁଯୋଗ ହେବାକୁ ଯାଉଛି। ଦୁଇଟି ମ୍ୟାଚ୍ରେ ଦୁଇଟି ଶତକ ଏବଂ ଦୁଇ ଥର ଯାକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା କିନ୍ତୁ ସ୍ମିଥ୍ଙ୍କ ପାଇଁ ସ୍ମରଣୀୟ ଅଭିଜ୍ଞତା ଛାଡ଼ିଛି। ଭାରତ ବିପକ୍ଷରେ ନିଜ ଅସାଧାରଣ ଓ ଅନନ୍ୟ ପ୍ରଦର୍ଶନର ଧାରାକୁ ସେ ମଧ୍ୟ ଅତୁଟ ରଖିଛନ୍ତି।


