ପୁଣି ଚର୍ଚ୍ଚାରେ ଲାଲୁଙ୍କ ପରିବାର
ପାଟନା , (ଯୁଗାବ୍ଦ ନ୍ୟୁଜ) : ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କଳି ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛିଦିନ ପୁର୍ବେ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଐଶ୍ଚର୍ଯ୍ୟାଙ୍କୁ ବିବାହ କରିଥିଲେ । ବୈବାହିକ ସମ୍ପର୍କ କିଛିଦିନ ସୁରୁଖୁରରେ ଚାଲିବା ପରେ ଏବେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଐଶ୍ଚର୍ଯ୍ୟା ଏବେ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ତେବେ ଆଜି ଏହି ଅଭିଯୋଗ ଏକ ନୂଆ ମୋଡ ନେଇଛି , ଲାଲୁ ପ୍ରସାଦ ଯାଦବଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଦୁଇଟି ଗାଡିରେ ବୋହୁ ଆଣିଥିବା ସମସ୍ତ ଜିନିଷ ପତ୍ରକୁ ତାଙ୍କ ବାପଘରକୁ ପଠାଇ ଦେଇଛନ୍ତି । ପଠାଅଥିବା ଜିନିଷକୁ ଐଶ୍ଚର୍ଯ୍ୟାଙ୍କ ମା ଚନ୍ଦ୍ରିକା ଗ୍ରହଣ କରିବାକୁ ମନା କରିଦେବା ସହ ପୋଲିସ ଡାକି ସେଗୁଡିକୁ ଜବତ କରିବାକୁ କହିଥିଲେ । ସୁଚନାନୁସାରେ , ତେଜ ପ୍ରତାପ ଓ ତାଙ୍କ ସ୍ତ୍ରୀ ଐଶ୍ଚର୍ଯ୍ୟା ବିବାହ ବିଚ୍ଛେଦ ପାଇଁ କୋର୍ଟରେ ସହାୟତା ଲୋଡିଛନ୍ତି ।