ପୁଣି ଥରେ ରିଲିଜ ହେବ ‘ଅଂଗ୍ରେଜୀ ମିଡିଅମ’
ସାରା ବିଶ୍ବକୁ ମହାମାରୀ କୋରୋନା ଡର ଥିବା ବେଳେ ଏହାର ପ୍ରଭାବ ଫିଲ୍ମ ଓ ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ପଡ଼ିଛି। ଏହା ଦ୍ରୁତଗତିରେ ବ୍ୟାପି ଚାଲିଥିବାରୁ ଏ ନେଇ ଦେଶରେ ଢେର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଦିଲ୍ଲୀ, ମହାରାଷ୍ଟ୍ର ସମେତ ଜମ୍ମୁ-କଶ୍ମୀର, ଓଡ଼ିଶା, କେରଳ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମା ହଲ, ଶପିଂ ମଲ, ସୁଇମିଂ ପୁଲ ଆଦିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହାର ପ୍ରଭାବ ସଦ୍ୟ ମୁକ୍ତିପ୍ରାପ୍ତ ହିନ୍ଦୀ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ ଉପରେ ମଧ୍ୟ ପଡ଼ିଛି।
ଏହି ଫିଲ୍ମଟି ରିଲିଜ ହେବା ଦିନ ହିଁ ଦିଲ୍ଲୀ ସରକାର ସେଠାକାର ସିନେମା ହଲ ବନ୍ଦ କରିବାକୁ ଘୋଷଣା କରିଥିଲେ। ଫଳରେ ଏହାର ସିଧାସଳଖ ପ୍ରଭାବ ଫିଲ୍ମଟି ଉପରେ ପଡ଼ିଛି। ପ୍ରଥମ ଦିନ ଏହା ପାଖାପାଖି ୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏଣୁ ପୁଣିଥରେ ସିନେମା ହଲ ଖୋଲାଗଲେ ଏହି ଫିଲ୍ମଟି ଆହୁରି ଭଲ ବ୍ୟବସାୟ କରିପାରିବ ବୋଲି ଏହାର ନିର୍ମାତା ଆଶା ବାନ୍ଧିଛନ୍ତି। ଖାସ ଏଥିପାଇଁ ସେମାନେ ଏହି ଫିଲ୍ମଟିର ପୁନଃରିଲିଜ କରିବାକୁ ମନସ୍ଥ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୀନେଶ ଭିଜନ ଓ ଜ୍ୟୋତି ଦେଶପାଣ୍ଡେଙ୍କ ପ୍ରଯୋଜିତ ତଥା ହୋମି ଅଦଜାନିଆଙ୍କ ନିର୍ଦେଶିତ ଏହି ଫିଲ୍ମରେ ଇରଫାନ ଖାନ, କରୀନା କପୁର, ରାଧିକା ମଦାନ ଓ ଦୀପକ ଡୋବ୍ରିଆଲ ପ୍ରମୁଖ ଅଭିନୟ କରୁଛନ୍ତି।