ପୁଣି ଦାଉ ସାଧିଲା କାଳବୈଶାଖୀ ବର୍ଷାରେ ଭିଜିଲେ ହଜାର ହଜାର ବିପନ୍ନ ପରିବାର
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଫାନିର ଦୁଃଖ ମନରୁ ନଲିଭୁଣୁ ପୁଣି ବାତ୍ୟା ବିପନ୍ନଙ୍କ ଉପରେ ଦାଉ ସାଜିଛି କାଳବୈଶାଖୀ । ଗତକାଲି ରାତିରେ ହୋଇଥିବା କାଳବୈଶାଖୀ ସେମାନଙ୍କୁ ପୁଣି ବେସାହାରା କରିଦେଇଛି । ପୁଣି ସେମାନଙ୍କୁ ଖୋଲା ଆକାଶ ତଳେ ବଞ୍ଚିବାକୁ ପଡୁଛି । ତେବେ ଅର୍ଥ ନଥିବାରୁ ସେମାନେ ତାଙ୍କର ଭିଟାମାଟିକୁ ସଜାଡ଼ି ନପାରି କେବଳ ସହାୟତାକୁ ଚାହିଁ ବସିଥିଲାବେଳେ ବାତ୍ୟାର ଦୀର୍ଘ ଦିନ ପରେ ବି ସେମାନଙ୍କୁ ଅର୍ଥ ମିଳିପାରିନାହିଁ । ଫଳରେ ଏହାକୁ ନେଇ ବାତ୍ୟା ବିପନ୍ନଙ୍କ ମନରେ ଘୋର ଅସନ୍ତୋଷ ବୃଦ୍ଧି ପାଇଲାଣି । ତେବେ ତୁରନ୍ତ ସହାୟତା ରାଶି ନମିଳିଲେ ରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି । ସୂଚନାଥାଉକି, ଗତକାଲି ରାତି ସାଢେ ୯ଟାରେ ଆରମ୍ଭ ହୋଇଥିଲା ପୁରୀରେ କାଳବୈଶାଖୀ । ହଠାତ୍ କେହି କିଛି ଜାଣିବା ପୂର୍ବରୁ ବହୁତ ଜୋରରେ ପବନ ହୋଇଥିଲା । ପବନକୁ ଦେଖି ବିଦ୍ୟୁତ୍କୁ କାଟିଦିଆ ଯାଇଥିଲା । ସେତିକିବେଳକୁ ଆରମ୍ଭ ହୋଇଥିଲା ଲଗାଣ ବର୍ଷାସହ ବିଜୁଳି ଓ ଘଡଘଡି । ପବନର ବେଗ ଜୋର ଥିବାରୁ ଅସ୍ଥାୟୀ ଘରର ଟିଣ, ପାଲ, ଛଣ ଓ ବରଡ଼ା ପତ୍ର ସବୁ ଉଡ଼ାଇ ନେଇଥିଲା । ଫଳରେ ସେମାନଙ୍କ ଘର ଭିତରେ ବର୍ଷା ପାଣି ପଶି ଯାଇ ପିନ୍ଧାଲୁଗା ସହ ସମସ୍ତ ଖାଦ୍ୟପଦାର୍ଥରେ ପାଣି ପଶି ଯାଇଥିଲା । ଏତେ ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେଲା ଯେ ବଡଦାଣ୍ଡ ସମେତ ସହରର ବିଭନ୍ନ ଛକ,ବସ୍ତି ଓ ତଳିଆ ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା । କାଳବୈଶାଖୀ ପ୍ରଭାବରେ କେତେକ ବିଦ୍ୟୁତ୍ ଖୁଣ୍ଟ ଓ ଅଧା ଉପାଡି ହୋଇ ରହିଥିବା ଗଛଗୁଡିକ ତଳେ ପଡିଯାଇଥିଲା । ଶ୍ରୀକ୍ଷେତ୍ର କଲୋନୀର ସୁରେନ୍ଦ୍ର କୁମାର ବରାଳ କୁହନ୍ତି ବାତ୍ୟାରେ ଘର ଭାଙ୍ଗିଯିବା ପରେ ମିଳିଥିବା ପଲିଥିନ୍ରେ ମୋର ଭଙ୍ଗା ଘରେ ପକାଇ ୪ ଜଣ ପ୍ରାଣୀ ରହୁଥିଲୁ । ହେଲେ ଗତକାଲି ରାତିରେ ହୋଇଥିବା କାଳବୈଶାଖିରେ ଦାଣ୍ଡର ଧୂଳି ସହ ଅଳିଆ ଜିନିଷ ଉଡାଇ ଆଣି ଘରେ ପୁରାଇ ଦେଇଥିଲା । ତା’ପରେ ବର୍ଷା କିଛି ସମୟ ହେଲା ପରେ ପୁଣି ପବନର ବେଗ ବଢିଗଲା । ଫଳରେ ଘର ଉପରେ ପଡିଥିବା ଜରିପାଲକୁ ଉଡାଇ ନେଇ କୁଆଡେ ଫିଙ୍ଗିଦେଲା । ହେଲେ ବର୍ଷାରେ ଘର ଭିତରେ ପାଣି ଜମି ରହିବା ସହିତ ଘରର ସମସ୍ତ ଜିନିଷ ବର୍ଷାରେ ଓଦା ହୋଇଗଲା । ସେହି ଓଦା ଲୁଗାରେ ରାତିସାରା ଉଜାଗର ରହିବା ସହ ଓପାସରେ ରହିଲୁ । ଗତକାଲିର କାଳବୈଶାଖୀ ବାତ୍ୟା ଠାରୁ ପୁଣି ଦୁଇଗୁଣା ଦୁଃଖ ଦେଇଦେଲା । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ଦେବା ପାଇଁ ଘୋଷଣା ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ତାହା ମିଳିଲା ନାହିଁ । ତେବେ କେବେ ସରକାରୀ ସହୟତା ରାଶି ମିଳିବ ତାହାକୁ ଅପେକ୍ଷା କରିଛୁ ।