ପୁଣି ଦିନଟିଏ ବଢ଼ିଲା ପଞ୍ଚାୟତ ନିର୍ବାଚନ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ପଞ୍ଚାୟତ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଜିଲାର ପ୍ରତି ବ୍ଲକରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିର ଆଜି ଶେଷ ହୋଇଯାଇଛି । ତେବେ ଏଥିରେ ବହୁ ଅଧିକାରୀ ଅଂଶଗ୍ରହଣ କରି ନ ପାରିବାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହାକୁ ଆଉ ଗୋଟିଏଦିନ ବୃଦ୍ଧି କରାଯାଇଛି । ପୂର୍ବଭଳି ୮ତାରିଖ ପ୍ରତି ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି । ତେଣୁ ଅନୁପସ୍ଥିତ ରହିଥିବା ଅଧିକାରୀମାନେ ନିଶ୍ଚିତ ଭାବେ ଏହି ଶିବିରରେ ଯୋଗ ଦେଇ ପଞ୍ଚାୟତ ନିର୍ବାଚନ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଗ୍ରହଣ କରିବାକୁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ବିଭାଗର ବିଭାଗୀୟ ମୁଖ୍ୟ / କାର୍ଯ୍ୟାଳୟ ମୁଖ୍ୟ ଏହାକୁ ସୁନିଶ୍ଚିତ କରିବେ । ଏଥି ସହିତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ, ୧ମ ଓ ୨ୟ ପୋଲିଂ ଅଧିକାରୀମାନଙ୍କୁ କୋଭିଡ ପ୍ରିକସନ ଟିକା ନେବାକୁ କୁହାଯାଇଛି । ଯେଉଁମାନେ ପ୍ରିକସନ ଟିକା ନେଇ ପାରି ନାହାଁନ୍ତି, ସେମାନେ ଏହି ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିରରେ ମଧ୍ୟ ତାହା ପାଇପାରିବେ । ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଏବେ ପାଖେଇ ଆସୁଥିବା ବେଳେ ଏହାର ସୁପରିଚାଳନା ପାଇଁ ନିୟୋଜିତ ଅଧିକାରୀଙ୍କ ପ୍ରଶିକ୍ଷଣ ଉପରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଶେଷ ସୁଯୋଗ ଭାବେ ଅନୁପସ୍ଥିତ ଅଧିକାରୀମାନଙ୍କ ପାଇଁ ଫେବୃଆରୀ ୮ତାରିଖ ଗୋଟିଏ ଦିନ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବା ବେଳେ ଏଥିରେ ଅନୁପସ୍ଥିତ ରହିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଚେତାବନୀ ଦେଇଛନ୍ତି ।


