ପୁଣି ଫେରିଲା କରୋନା… ପାରଳାରେ ଗୋଟିଏ ଦିନରେ ୪ ଆକ୍ରାନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାକୁ ପୁଣି ଫେରିଲା କରୋନା ସଂକ୍ରମଣ । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଗୋଟିଏ ଦିନରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୪ ଜଣଙ୍କୁ ମିଶାଇ ଗଜପତି ଜିଲ୍ଲାରେ ମୋଟ ୪୦୯୨ ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଏଠାରେ ସ୍ମରଣ ଯୋଗ୍ୟ ଯେ, କରୋନା ପାଇଁ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ସାରା ଦେଶରେ କଟକଣା ଆରମ୍ଭ ହୋଇଥିଲା । ଲୋକେ କିଛି ଭାବିବା ପୂର୍ବରୁ ଗୃହବନ୍ଦୀ ହୋଇ ରହିବାକୁ ନିୟମ ଲାଗିଲା । କାମଧନ୍ଦା ବନ୍ଦ ହୋଇଗଲା । ଯାତାୟତ ଠପ ହୋଇ ଯାଇଥିଲା । ହଠାତ୍ ରୋଜଗାର ହରାଇ ସାଧାରଣ ଲୋକେ ବିଚଳିତ ହୋଇ ପଡିଥିିଲେ । ଗଜପତି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିଲା । କରୋନାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ପ୍ରଶାସନିକ କଟକଣା ଓ ସରକାରଙ୍କ ଘନଘନ ସଚେତନତା ସତ୍ତ୍ୱେ କରୋନାରେ ଆକ୍ରାନ୍ତ ହୋଇ ଗତବର୍ଷ ଜିଲ୍ଲାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୪୦୯୨ ହେଲାଣି । ଅନେକ ଗରିବ ଶ୍ରେଣୀର ଲୋକ ସେମାନଙ୍କ ଜୀବିକା ହରାଇଥିଲେ । ବ୍ୟବସାୟୀଙ୍କ ରୋଜଗାର ଠପ ହୋଇ ଯାଇଥିଲା । ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଶତାଧିକ ପ୍ରବାସୀ କାମଧନ୍ଦା ହରାଇ ଭିଚାମାଟିକୁ ଫେରି ଆସିଥିଲେ । ଜିଲ୍ଲା ପ୍ରଶାସନର ଅକ୍ଳାନ୍ତ ପରିଶ୍ରମ ପାଇଁ ଗଜପତି ଜିଲ୍ଲା ଅନ୍ୟ ଜିଲ୍ଲା ଅପେକ୍ଷା ବିଶେଷ କ୍ଷତିଗ୍ରସ୍ତ ହୋଇନଥିଲା । ଗଜପତି ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ ଆକ୍ରାନ୍ତ ହୋଇ ୪୫ ଦିନ ଛୁଟିରେ ଥିଲେ । କରୋନାରେ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ କେତେକ ପଦସ୍ଥ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ପୂର୍ବତନ ନଗରପାଳ ପିନିଣ୍ଟି କ୍ରିଷ୍ଣା, ସମାଜସେବୀ ମୀନାକ୍ଷୀ ସାହୁ, ସାମ୍ବାଦିକ କେସିଏଚ୍ ରତ୍ନମ୍ ଓ ନବିନାନନ୍ଦ ଗନ୍ତାୟତଙ୍କ ପରି କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଥିଲେ । ଜିଲ୍ଲାପାଳ ଶ୍ରୀ ଶାହାଙ୍କ ନେତୃତ୍ୱ ସାଙ୍ଗକୁ ଜିଲ୍ଲାର ସମସ୍ତ ଡାକ୍ତର, ପ୍ରଶାସନିକ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା, ସଫେଇ କର୍ମୀ, ପୋଲିସ, ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରିଲା । ପରିଶେଷରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିଲେ । ବର୍ତ୍ତମାନ ପୁଣି କରୋନା କଡ ଲେଉଟାଇଲାଣି । ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରେ କରୋନା ମାଡି ଚାଲିଥିବା ବେଳେ ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ଏହା ଗ୍ରାସ ହେବାରେ ଲାଗିଲାଣି । ଆମ ଗଜପତି ଜିଲ୍ଲାରେ ଆଜି ଗୋଟିଏ ଦିନରେ ହଠାତ ୪ଜଣ କରୋନାରେ ଚିହ୍ନଟ ହୋଇଛନ୍ତି । ଗଜପତି ପ୍ରଶାସନ ଏନେଇ ସମ୍ପୂର୍ଣ୍ଣ ଭାବେ ସଜାଗ ରହି ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଲୋକେ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବାରମ୍ବାର ହାତ ଧୋଇବା ଏବଂ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବା ଆଦି ନେଇ ଗଜପତି ପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁପମ ଶାହା ଗଜପତିବାସୀଙ୍କୁ ଅନୁରୋଧ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ