ପୁଣି ଫେରିଲା ଘୁମୁସର ବନଖଣ୍ଡକୁ ମହାବଳ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କିଛି ମାସର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ।ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ବାଘଟି ଖୋର୍ଦ୍ଧା ଜିଲ୍ଲାର ବରବରା ଜଙ୍ଗଲରେ ଗତ କିଛି ଦିନ ହେଲା ଚଳପ୍ରଚଳ କରୁଥିଲା।ଗତ ପାଞ୍ଚ ଦିନ ହେବ ବାଘଟି ଉତ୍ତର ଘୁମୁସର ବନଖଣ୍ଡ ଅଧିନ କେନ୍ଦ୍ରିୟ ବନାଞ୍ଚଳ ଗାଙ୍ଗପୁର ସେକ୍ସନର ମାଳତି ଜଙ୍ଗଲ ଇଲାକାରେ ବୁଲୁଥିବା ଜଣାପଡିଛି।ତିନି ଦିନ ପୁର୍ବେ ବାଘଟି ମାଳତି ଜଙ୍ଗଲ ମଧ୍ୟରେ ଏକ ଗୟଳକୁ ଶିକାର କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଭୟ ଆହୁରି ବଢିଯାଇଛି।ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଶିମିଳିପାଳର ଏକ ସ୍ବତନ୍ତ୍ର ବାଘ ଧରାଳି ଟିମ୍ ଭଞ୍ଜନଗର ରେ ପହଞ୍ଚିଛନ୍ତି।ସେମାନେ ପ୍ରତିଦିନ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଗୟଳର ମୃତଦେହ ପଡିଥିବା ସ୍ଥାନରୁ ଅଲ୍ପ ଦୁରରେ ବନ ବିଭାଗ କର୍ମଚାରୀ ଜଗି ରହିଛନ୍ତି।କାରଣ ବାଘ ବାସି ମାଂସ ଖାଇବା ପାଇଁ ଆସିବାର ସମ୍ଭାବନା ରହିଛି।ତେଣୁ ଉତ୍ତର ଘୁମୁସର ବନଖଣ୍ଡ ର ବିଭିନ୍ନ ବନାଞ୍ଚଳ ର ଅଧିକାରୀ ଓ କର୍ମଚାରୀ ଏବଂ ଶିମିଳିପାଳ ରୁ ଆସିଥିବା ବାଘ ଧରାଳି ଟିମ୍ ଜଙ୍ଗଲ ମଧ୍ୟରେ ବିଭିନ୍ନ ସରଞ୍ଜାମ ଧରି ଜଗି ରହିଛନ୍ତି।ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ମଧ୍ୟକୁ ନଛାଡିବା ଲାଗି ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ସତର୍କ କରାଯାଇଛି।ବାଘଟି ଚାରି -ପାଞ୍ଚ ଦିନ ହେବ ଲାଠିପଡା ନିକଟସ୍ଥ ତିନିଖଣ୍ଡିଆ-ରଗଡା ଜଙ୍ଗଲରେ ଗତିବିଧି ଜାରି ରଖିଛି।ଫଳରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଗାଙ୍ଗପୁର ପଞ୍ଚାୟତ, ଧରାକୋଟ ବ୍ଲକର ଝାଡବନ୍ଧ,ସୋରଡା ବ୍ଲକର କୁଲାଙ୍ଗି,ଲାଠିପଡା ସମେତ ୨୫ ରୁ ୩୦ ଗାଁର ଲୋକେ ଭୟଭୀତ ହୋଇ ପଡିଛନ୍ତି।