ପୁଣି ସିବିଆଇର ଚିଟଫଣ୍ଡ ତନାଘନା
ଭୁବନେଶ୍ୱର: ସିବିଆଇ ପୁଣି ଖୋଲିଛି ଚିଟଫଣ୍ଡ ପେଡ଼ି । ଚିଟଫଣ୍ଡ ମାମଲାରେ ଦୀର୍ଘ ଦିନ ଧରି ଶୁପ୍ତ ଅବସ୍ଥାରେ ଥିବା ସିବିଆଇ ପୁଲିସ ତନାଘନା ଆରମ୍ଭ କରିଛି । ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ସକ୍ରିୟ ହୋଇଛି । ଏନେଇ ମିଡିଲମ୍ୟାନ ଶୁଭଙ୍କରକୁ ସିବିଆଇ ଘଣ୍ଟାଏ ଧରି ଜେରା କରିଛି । ପ୍ରଥମେ ସିବିଆଇ ପକ୍ଷରୁ ଶୁଭଙ୍କରଙ୍କୁ ସିବିଆଇ ଅଫିସକୁ ଡକାଯାଇଥିଲା । ପରେ ଦୀର୍ଘ ଘଣ୍ଟାଏ ଧରି ତାଙ୍କୁ ଚିଟଫଣ୍ଡ ମାମଲାରେ ଜେରା କରାଯାଇଥିଲା । ଶୁଭଙ୍କର ଡାଏରୀର ପୁଣି ଖୋଳତାଡ଼ କରିଛି ସିବିଆଇ । ଟାର୍ଗେଟରେ ଦୁଇ ଆଇଏଏସ ଅଫିସର ଓ ଜଣେ ଆଇପିଏସ ଅଫିସର ଥିବା ସୂଚନା ମିଳିଛି । ତେବେ ସମ୍ପୃକ୍ତ ଅଧିକାରୀମାନେ କିଏ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଗକୁ ସିବିଆଇର ତନାଘନା ଜୋର ଧରିପାରେ ବୋଲି କୁହାଯାଉଛି । ତେବେ ପ୍ରାୟ ୧୨ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ନେଇ ସିବିଆଇ ତନାଘନା କରିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ୪୦ରୁ ଅଧିକ ଚିଟଫଣ୍ଡ କମ୍ପାନୀ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ଏବଂ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅନୁରୂପ ଘଟଣା ଘଟିଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ୨୦୧୩ରେ ଏହି ମାମଲାର ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ । ସିବିଆଇ ଏହି ମାମଲାରେ ୩୦ରୁ ଅଧିକ ବ୍ୟକ୍ତିବିଶେଷ, ୮ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି । ଏ ସମ୍ପର୍କରେ ପୂର୍ବରୁ ୬ଟି ସପ୍ଲିମେର୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଛି ।


