ପୁଣି ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସିଲେ ପ୍ରବାସୀ ଓଡିଆ
ଛତ୍ରପୁର,(ଓ୍ବାଇଏନ୍ଏସ୍):ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ବୁଧବାର ଦିନ ଠାରୁ ବସ୍ରେ ସୁରତରୁ ହଜାର ହଜାର ପ୍ରବାସୀ ଗଂଜାମକୁ ଫେରୁଥିବାବେଳେ ରାଜ୍ୟସରକାର ପକ୍ଷରୁ ବସ୍ ଆସିବାକୁ ରୋକ୍ ଲଗାଇ ଥିବା ହେତୁ ଏବେ ଟ୍ରେନ୍ ଯୋଗେ ହଜାର ହଜାର ଶିଶୁ, ମହିଳା ସମେତ ପ୍ରବାସୀ ଓଡିଆ ଭାଇ ମାନେ ଫେରୁଛନ୍ତି । ବୁଧବାର ୩ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁଣି ସୁରତରୁ ପ୍ରବାସୀ ଓଡିଆ ମାନେ ଗଂଜାମ କୁ ଫେରିଛନ୍ତି । ସୁରତରୁ ୧୨୨୫ଜଣ ପ୍ରବାସୀ ଓଡିଆକୁ ଧରି ୪ଘଣ୍ଟା ବିଳମ୍ବରେ ସ୍ୱତନ୍ତ୍ର ଟ୍ରେନ ବୁଧବାର ଅପରାହ୍ନ ୨ଟାରେ ଜଗନ୍ନାପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୧୯୫ଜଣ ଥିବା ବେଳେ ନୟାଗଡ ଜିଲ୍ଲାର ୨୧ଜଣ, କଟକ ୨, ବଲାଙ୍ଗିରି ଜିଲ୍ଲାର ୩ଜଣ, ବୈାଦ୍ଧ ଜିଲ୍ଲାର୨ ଓ ଅନୁଗୁଳ ଜିଲ୍ଲାର ୨ଜଣ ପ୍ରବାସୀ ଥିଲେ । ସେହିପରି ପୁଣି ଆଉ ଏକ ସ୍ୱତନ୍ତ୍ର ଟ୍ରେନ ସୁରତ୧୨୩୦ଜଣ ପ୍ରବାସୀ ଓଡିଆଙ୍କୁ ଧରି ବୁଧବାର ସନ୍ଧ୍ୟା ୫.୪୫ରେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୨୧୭ଜଣ ଥିବା ବେଳେ ନୟାଗଡ ଜିଲ୍ଲାର ୩, କନ୍ଧମାଳ ୯ , ପୁରୀ ଜିଲ୍ଲାର ଜଣେ ଓଡିଆ ପ୍ରବାସୀ ମାନେ ରହିଥିଲେ ।ସେହିପରି ରାତ୍ର ୮.୫୦ରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସୁରତରୁ ୧୧୦୦ ପ୍ରବାସୀ ଓଡିଆ ମାନେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲେ । ସେଥିରୁ ୧୦୫୬ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ବଳକା ଅନ୍ୟାନ୍ୟ ଜିଲ୍ଲା ର ପ୍ରବାସୀ ଓଡିଆ ମାନେ ରହିଥିଲେ । ସମସ୍ତେ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ୧୨ଟି ଆରଆର ଟିମ୍ ଏବଂ ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ରହି ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିଥିଲେ । ପରେ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ଲା କୁ ପଠାଯାଇଥିଲା । ସେହିପରି ଗଂଜାମ ଜିଲ୍ଲାର ପ୍ରବାସୀ ଓଡିଆକୁ ନିଜ ନିଜ ବ୍ଲକ କୁ ପଠାଇଯାଇଥିଲା । ଷ୍ଟେସନରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ରାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୁଲିସ, ଆରପିଏଫ ଓ ୩୦କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ସହାୟତା କରିବା ସହ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ ।ସୂଚନା ଯୋଗ୍ୟ ଯେ ରବିବାର କେରଳ ଓ ସୁରତରୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଯୋଗେ ପ୍ରବାସୀ ଓଡିଆ ମାନେ ଗଂଜାମକୁ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଓ ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ହଜାର ହଜାର ପ୍ରବାସୀଓଡିଆ ଭାଇ ଓ ଭଉଣୀ ମାନେ ଗଂଜାମକୁ ଫେରିଥିଲେ । ପୁଣି ମଙ୍ଗଳବାର ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ୩୭୪୦ଜଣ ପ୍ରବାସୀ ଓଡିଆ ଗଂଜାମ କୁ ଫେରିଥିଲେ ।