ପୁଣି ୩ ପଜେଟିଭ ଚିହ୍ନଟ, ୪୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲାରେ ଆଜି ୨୪ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକରେ ଆଜି ପୁଣି ତିନିଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜିକୁ ମିଶାଇ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି । ତନ୍ମଧ୍ୟରୁ ୪୧ଜଣ ସୁସ୍ଥ ହୋଇଥିବାବେଳେ ୮ଜଣ ବିଭିନ୍ନ କୋଭିଡ-୧୯ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ତଳେ ଡଅଁରରୁ ବାହାରିଥିବା ପଜେଟିଭଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଅନୁସାରେ ଡଅଁରରୁ ୭ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ କେନ୍ଦୁଝରକୁ ପଠାଯାଇଛି । ସେହିପରି ଆଜି ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଟିଏମସିରୁ ୨ଜଣ ଓ କଳିଗାଁ ପଞ୍ଚାୟତ ତାମ୍ପଳା ଟିଏମସିରୁ ଜଣେ କରୋନା ସଂକ୍ରମିତ ଥିବା ଜଣାପଡିଛି । ତାମ୍ପଳା ଟିଏମସିରୁ ସଂକ୍ରମିତ ଯୁବକ ଜଣକର ବୟସ ୩୩ବର୍ଷ ହୋଇଥିବାବେଳେ ସେ ଗତ ୧୫ତାରିଖ ଦିନ ହାଇଦ୍ରାବାଦରୁ ଆସି ତାମ୍ପଳା କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଜମ୍ଭରା ଟିଏମସିରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ୨୮ ଓ ୨୫ବର୍ଷ । ସେମାନେ ଗତ ୧୧ତାରିଖରୁ ଚେନାଇରୁ ଆସି ଜମ୍ଭରା କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେମାନଙ୍କ ଠାରେ ଛିଙ୍କ, କାଶ ଆଦି ଲକ୍ଷଣ ଦେଖାଦେବାରୁ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ସନ୍ଧ୍ୟାରେ ପଜେଟିଭ ରିପୋର୍ଟ ଆସିବାପରେ ସେମାନଙ୍କୁ କେନ୍ଦୁଝର କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି ବୋଲି ଶାଳଣିଆଁ ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।