ପୁତ୍ର ଜନ୍ମ ଖୁସିରେ ମହିଳାଙ୍କୁ ରକ୍ତଦାନ କଲେ ଯୁବକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସନ୍ତାନ ସନ୍ତତି ଜନ୍ମ ହେଲେ ପରିବାର ସଦସ୍ୟ ସେହି ଖୁସିରେ ଘରେ ଭୋଜିଭାତର ଆସର କରିଥାନ୍ତି I କିନ୍ତୁ ବେଲଗୁଣ୍ଠାର ଉତ୍ସାହୀ ଯୁବକ ନିଜ ପୁତ୍ର ଜନ୍ମ ହେବା ଖୁସିରେ ଜଣେ ମହିଳା ଯକୃତ ରୋଗୀଙ୍କୁ ରକ୍ତଦାନ କରି ତାର ପ୍ରାଣ ବଞ୍ଚାଇବାରେ ସହାୟକ ହୋଇଛନ୍ତି I ଯୁବକ ଜଣଙ୍କ ହେଲେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ କର୍ମଚାରୀ ତଥା ବେଲଗୁଣ୍ଠାର ସୁଶାନ୍ତ କୁମାର ମିଶ୍ର I ସୂଚନା ପ୍ରକାରେ ଶରଧାପୁର ଗ୍ରାମର ଖଦାଳ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ ଯକୃତ ରୋଗରେ ଆକ୍ରାନ୍ତ ହୋଇ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି I ତାଙ୍କର ଏ ପଜିଟିଭ ରକ୍ତ ଦରକାର ଥିଲା ବେଳେ ଭଞ୍ଜନଗର ରକ୍ତଭଣ୍ଡାରରେ କିନ୍ତୁ ଏ ପଜିଟିଭ ରକ୍ତ ନଥିବାରୁ ଲକ୍ଷ୍ମୀଙ୍କ ସମ୍ପର୍କୀୟ ମାନେ ବ୍ୟସ୍ତ ହୋଇପଡ଼ିଥିଲେ I ଘଟଣା ସମ୍ପର୍କରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ପାଖରେ ଖବର ପହଂଚିବା ପରେ ସେ ସୁଶାନ୍ତଙ୍କୁ ଯୋଗାଯୋଗ କରିଥିଲେ I ଗତ ୧୫ ତାରିଖରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସୁଶାନ୍ତଙ୍କର ପୁତ୍ର ସ୍ୱାଧୀନ ଜନ୍ମ ହୋଇଥିବାରୁ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ବେଳେ ଏହି ଅବସରରେ ସୁଶାନ୍ତ ମଧ୍ୟ କୌଣସି ଜନହିତକର କାର୍ଯ୍ୟ କରିବା ସୁଯୋଗ ଅପେକ୍ଷାରେ ଥିଲେ I ଏହି ସମୟରେ ଜଣେ ଅସହାୟ ମହିଳାଙ୍କୁ ରକ୍ତ ଦେବାପାଇଁ ସେ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଠାରୁ ଖବର ପାଇବା ପରେ ତାଙ୍କ ଅନୁରୋଧ ରକ୍ଷାକରି ଭଞ୍ଜନଗର ମେଡିକାଲକୁ ଯାଇ ରକ୍ତଭଣ୍ଡାରରେ ସମ୍ପୃକ୍ତ ମହିଳାଙ୍କୁ ରକ୍ତଦାନ କରିଥିଲେ I ସୁଶାନ୍ତଙ୍କ ସାଥିରେ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ସହ ସମ୍ପାଦକ ସରୋଜ ଶତପଥୀ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ । ପୁତ୍ର ଜନ୍ମ ଖୁସିରେ ରକ୍ତଦାନ କରିଥିବାରୁ ସୁଶାନ୍ତଙ୍କୁ ପ୍ରେସ କ୍ଲବ ସମେତ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି I


