ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଛି । ପୁନର୍ବାସ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ. ବିରଜା ରାଉତରାୟଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡା. ପରଭେଜ ଅକ୍ତର, ପୁନର୍ବାସର ସଦସ୍ୟା ନବଜ୍ୟୋତି ରାୟ, ଚାନ୍ଦୋଳ ହୃଦାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ମଙ୍ଗରାଜ, କେମ୍ର ସମ୍ପାଦକ ମହମ୍ମଦ ଜାହିଦ ଖାଁ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାକୁ ପୁନର୍ବାସର ସଦସ୍ୟ ବଂଶୀଧର ମହାନ୍ତି ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇର କଷଣଅଣ୍ଟା ଗ୍ରାମର ଧନଞ୍ଜୟ ସାହୁ, ଓଳାଭର ହାଟସାହିର ବସନ୍ତ କୁମାର ରାଉତ ଓ ଅଜୟ କୁମାର ସୁବୁଦ୍ଧିଙ୍କୁ ଭୂବନେଶ୍ୱର ୮ନମ୍ବର ଡିଏଭି ପବ୍ଲିକ ସ୍କୁଲ ୧୯୯୪ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ହୁଇଲଚେୟାର ପ୍ରଦାନ କରାଯାଇଥିଲା । ସେହିପରି ଭିନ୍ନକ୍ଷମ ପରିବାରର ଜୀବିକା ସହାୟତା ଉପକରଣ ସ୍ୱରୂପ ସବିତା ସୁବୁଦ୍ଧିଙ୍କୁ ଏକ ଗ୍ରାଇଣ୍ଡର ମଧ୍ୟ ପ୍ରଦାନ କରାଯାଇଥିଲା । ପୁନର୍ବାସର ସଂଯୋଜକ ସଞ୍ଜୀବ କୁମାର ଜେନା, ସମ୍ବିତ ଶ୍ରୀଚନ୍ଦନ, ଶେଷଦେବ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।