ପୁନା ଚୁକ୍ତି ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୁନା ଚୁକ୍ତି ଦିବସ ସ୍ମରଣ ଅବସରରେ ଭୁବନେଶ୍ୱର, କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ପ୍ରବୁଦ୍ଧ ଭାରତ ଆଲୋଚନାଚକ୍ର କ୍ରମରେ ‘ଅନୁସୂଚିତ ବର୍ଗଙ୍କ ସମସ୍ୟା ଓ ସମାଧାନ’ ବିଷୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ୧୯୩୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଭାରତର ସ୍ୱାଧୀନତାଦାତା ପରମଧାର୍ମିକ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ବିପ୍ଲବୀ ସମାଜ ସଂସ୍କାରକ, ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣେତା ତଥା ଆଧୁନିକ ଭାରତର ଭିତ୍ତିଭୂମି ସ୍ରଷ୍ଟା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମଧ୍ୟରେ ଆଲୋଚନା ହୋଇ ଇରୋଭଦା ଜେଲ୍‌ରେ ପୁନାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାଦ୍ୱାରା ଭାରତୀୟ ସମାଜ, ଅର୍ଥନୀତି ଓ ରାଜନୀତିରେ ଏକ ବୈପ୍ଲବିକ ପରିବର୍ତ୍ତନ ସମ୍ଭବ ହୋଇପାରିଥିଲା । କିନ୍ତୁ ପରିତାପର ବିଷୟ, ଐତିହାସିକମାନେ ଏହାକୁ ଅଣଦେଖା କରିଛନ୍ତି ।
ଏହି ଆଲୋଚନାଚକ୍ରରେ ଭଗବାନ ବୁଦ୍ଧ, ବାବାସାହେବ ଆମ୍ବେଦକର ଓ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନୀତି, ଆଦର୍ଶର ପ୍ରଚାର ଓ ସ୍ମୃତିରକ୍ଷା ପାଇଁ ଆମ୍ବେଦକର ଭବନ ନିର୍ମାଣ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏତଦ୍‌ବ୍ୟତୀତ ଅନୁସୂଚିତ ଜାତି, ଜନଜାତି ନିର୍ଯ୍ୟାତନା ନିରୋଧକ ଆଇନ୍ ଦୃଢ ଭାବରେ କାର୍ଯ୍ୟକାରୀ କରାଯାଇ କଠିନ ଦଣ୍ଡବିଧାନ କରିବା, ମହିଳା, ଶିଶୁ ଓ ଦଳିତମାନଙ୍କୁ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ପାଇଁ ପ୍ରଶାସନ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୧୦ବର୍ଷ କାରାଦଣ୍ଡ ପ୍ରଦାନ କରିବା, କ୍ୟାଚ୍‌-ଅପ୍ ରୁଲ୍‌କୁ ଉଚ୍ଛେଦ କରିବା, ଘରୋଇକରଣକୁ ବନ୍ଦ କରିବା ଓ ଘରୋଇ କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଦେବା, ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଅନୁଦାନ ପ୍ରଦାନ କରିବା, ନକଲି ଦଳିତ କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତିକୁ ଏସ୍‌.ସି. ତାଲିକାରୁ ବାଦ୍ ଦେବା, ମେହେନ୍ତର, ଦଳିତ ବୈଷ୍ଣବ ଓ ସଅରମାନଙ୍କୁ ଏସ୍‌.ସି, ଏସ୍‌.ଟି ତାଲିକାଭୁକ୍ତ କରିବା, ସମସ୍ତ ଅନୁସୂଚିତ ଜାତି, ଜନଜାତି ଓ ଗରିବ ଲୋକମାନଙ୍କୁ ଜମି, ଜଳ, ଜଙ୍ଗଲର ଅଧିକାର ଦେବା ସହିତ ଥଇଥାନ ପରେ ବିସ୍ଥାପନ କରିବା ଓ ଘର, ଜମି ଯୋଗାଇଦେବା ଇତ୍ୟାଦି ପ୍ରସ୍ତାବଗୁଡ଼ିକ ଆଲୋଚନା ପରେ ଗୃହିତ ହୋଇ ଦାବି ଉପସ୍ଥାପନ କରାଯାଇଥିଲା ।
ଏହି ଆଲୋଚନାଚକ୍ରରେ ଇଂ ଶ୍ରୀଯୁକ୍ତ ଅଲେଖ ମଲ୍ଲିକ ସଭାପତିତ୍ୱ କରିଥିଲେ । ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ରାଘବ ସେଠୀ ବିଶିଷ୍ଟ ଅତିଥି ଭାବେ ଓ ଆଦିବାସୀ ନେତା ବିଦ୍ୟାଧର ଦେହୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏତଦ୍‌ବ୍ୟତୀତ ସମାଜସେବୀ ପ୍ରମୋଦ କୁମାର ମଲ୍ଲିକ, ପ୍ରଫେସର ସୁରେଶ ମଲ୍ଲିକ, ଅଚ୍ୟୁତ ସାମନ୍ତ, ମାନସ ଜେନା, ଲକ୍ଷ୍ମୀଧର ବେହେରା, ଆଡ଼ଭୋକେଟ ହଳଧର ସେଠୀ, ଦୈତାରୀ ନାୟକ, ଆକୁଳି ଚରଣ ସେଠୀ, ସୁନାକର ବେହେରା ଓ ନାରୀନେତ୍ରୀ ପ୍ରମୋଦିନୀ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସଂଯୋଜକ ଶ୍ରୀ ଲକ୍ଷ୍ମଣ ମଲ୍ଲିକ ଏହି ସଭାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ