ପୁରପଲ୍ଲୀରେ ଆରମ୍ଭ ହେଲା ଖୁଦୁରୁକୁଣି ଓଷା
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା):ସାଧବ ସାତଭାଇ ଓ ଭଉଣୀ ତପୋଇଙ୍କ କିମ୍ବଦନ୍ତୀ ଅନୁସାରେ ମା ମଙ୍ଗଳାଙ୍କ ମାସିକିଆ ବ୍ରତ ଖୁଦୁରୁକୁଣି ଓଷା ଆଜି ପୁରପଲ୍ଲୀରେ ଆରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ରାଢୋ, ରହଣିଆ, ଚତୁର୍ଭୁଜପୁର, ମାଳଦା, କୁଲଣା, ନପଙ୍ଗ, ପାଟୁଳି, ରାଜେନ୍ଦ୍ରପୁର, ନାଆମୀ ପ୍ରମୁଖ ଅଞ୍ଚଳ ଗୁଡିକରେ ଆଜି ପ୍ରତ୍ୟୁଷରୁ ଖୁଦୁରୁକୁଣି ବ୍ରତ ପାଇଁ ଚଳଚଞ୍ଚଳ ହୋଇପଡିଥିଲେ । ବିଶେଷକରି ଖୁଦୁରୁକୁଣି ଓଷାକୁ କୁମାରୀ ମାନେ ପାଳନ କରୁଥିବାବେଳେ ସପ୍ତାହର ପ୍ରତ୍ୟକ ରବିବାର ମା ମଙ୍ଗଳାଙ୍କ ନିକଟରେ ପୂଜା ହୋଇଥାଏ । ସକାଳୁ କୁମାରୀ ମାନେ ଏକ୍ରତିତ ହୋଇ ଖୁଦୁୁକୁଣିଙ୍କ ଉଦ୍ଦେଶ୍ୟରେ ବାଡିବଗିଚାରୁ ଫୁଲ ତୋଳି ସାରିବା ପରେ ଗାଁର କୌଣସି ଏକ ସ୍ଥାନରେ ଏକତ୍ରିତ ହୋଇ ପୂଜା ଆୟୋଜନ କରିଥାଆନ୍ତି । ସ୍ଥଳ ବିଶେଷରେ ଗୋଷ୍ଠୀଗତ ଭାବେ ପୂଜା ହେଉଥିଲେ ସୁଦ୍ଧା ଅନେକ ଏବେ ବ୍ୟକ୍ତିଗତ ଭାବେ ନିଜ ଘରେ ମଧ୍ୟ ଖୁଦୁରୁକୁଣି ଓଷା ପାଳନ କରୁଛନ୍ତି । ସନ୍ଧ୍ୟାରେ ବ୍ରତଧାରୀ ମାନେ ତପୋଇ ଗୀତ ପାଠ କରିଥାଆନ୍ତି । ଭାଦ୍ରବ ମାସର ପ୍ରତ୍ୟକ ରବିବାର ଖୁଦୁରୁକୁଣି ଓଷା ହେଉଥିବାବେଳେ ଶେଷ ପାଳିରେ ପୂଜା ପାଉଥିବା ମା ମଙ୍ଗଳାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିଷର୍ଜନ ଦିଆଯାଇ ବ୍ରତ ଉଦଯାପିତ କରାଯାଏ । ଯଦିଓ ଆଧୁନିକ ଚାକଚକ୍ୟ ମଧ୍ୟରେ ପୂଜାରେ ସେତେଟା ଉତ୍ସାହ ଉଦ୍ଦିପନା ଆଗଭଳି ଦେଖିବାକୁ ମିଳୁନାହିଁ ତଥାପି ତପୋଇ କିମ୍ବଦନ୍ତୀକୁ କୁମାରୀମାନେ ଖୁଦୁରୁକୁଣି ଓଷା ମାଧ୍ୟମରେ ବଞ୍ଚାଇ ରଖିଛନ୍ତି ।