ପୁରାତନଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଦିନକୁ ଦିନ ପରିବେଶ ପଦ୍ୟୁଷଣ ବୃଦ୍ଧି ପାଉଥିବା ବେଳେ ଏହା ମାନବ ସମାଜ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ଉଚ୍ଚ ଶିକ୍ଷାଶ୍ରମର ୧୯୮୨ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିଛନ୍ତି ସମ୍ମିଳିତ ଭାବେ ଉଦ୍ୟମ କରି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ । ଏହି ଉପଲକ୍ଷେ ପର୍ଯ୍ୟଟନସ୍ଥଳି ସଖୀବଟରେ ଏକ ବୈଠକ ଇଂ ତନୁଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଗଂତ ପୁରାତନ ଛାତ୍ରଛାତ୍ରୀମାନଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସୁଧାଂଶୁ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପରିବେଶର ସୁରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୁରାତନ ଛାତ୍ରୀ ମଞ୍ଜୁଶ୍ରୀ ନାୟକ ଓ ଛାତ୍ର ବାବାଜି ଚରଣ ମହାନ୍ତି ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାଉତ, କସ୍ତୁରୀ ଜେନା, କମଳାକାନ୍ତ ମହାପାତ୍ର, ପୁଷ୍ପାରାଣୀ ନାୟକ, ପୁଷ୍ପଲତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ପରଷ୍ପର ବନ୍ଧୁତା, ଶ୍ରଦ୍ଧା, ବିଶ୍ୱାସ ଓ ଭଲପାଇବା ହିଁ ସମସ୍ତଙ୍କୁ ଏକାଠି କରି ରଖିପାରିବ ବୋଲି ମତବ୍ୟକ୍ତ କରିଥିଲେ । କବିତା ଆବୃତ୍ତି, ନୈଶଭୋଜି, ଭାବ ବିନିମୟ ଓ ହସଖୁସିର ଆସର ମଧ୍ୟରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ସମୟ ଅତିବାହିତ କରିଥିଲେ । ପୁରୀରୁ ମଗାଯାଇଥିବା ମହାପ୍ରସାଦକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଡିସେମ୍ବରମାସ ଶେଷ ସପ୍ତାହରେ ସମସ୍ତେ ଏକାଠି ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପର୍ଯ୍ୟଟନ ସ୍ଥଳି ସଖୀବଟର ସ୍ଥାୟୀ ବିକାଶ, ରାସ୍ତା ନିର୍ମାଣ ଓ ଏକ ଆକର୍ଷଣୀୟ ପୀଠ ଭାବେ ଗଢି ତୋଳିବାକୁ ପରିଚାଳନା କମିଟିର ସଭାପତି ନିରଞ୍ଜନ ସାହୁ ଏବଂ ସ୍ଥାନୀୟ ସମାଜସେବୀ ରଞ୍ଜନ କୁମାର ମହାନ୍ତିଙ୍କ ସହ ଆଲୋଚନା କରାଯାଇଥିଲା । ସୁଧାଂଶୁ କୁମାର ଦାସ କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


