ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ପଞ୍ଚାୟତରେ ମହାଘୋଟଲା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂରେଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ମୋ ସରକାର୍ ଓ 5t ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଏ ସବୁକୁ ବେଖାତିର କରି ପୁରୀ ଜିଲ୍ଲା ଗୋପ ବ୍ଲକ ସୋରଭା ଗ୍ରାମର ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବ୍ଳକ୍ କର୍ମଚାରୀଙ୍କ ପର୍ଯ୍ୟନ୍ତ ମିଳିତ ହୋଇ ମିଥ୍ୟା ବିଲ୍ କରି ରାସ୍ତା ନିର୍ମାଣ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସରପଞ୍ଚ ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧର ଦୃଢ଼ କାରଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଗତବର୍ଷ ମଧ୍ୟ ସୋରଭା ସରପଞ୍ଚ ଓ ବ୍ଳକ୍ କନିଷ୍ଠ ଯନ୍ତ୍ରୀ ମଶାଣି ଓ ନଇତୁଠ ପାହାଚ ନିର୍ମାଣ ନକରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଖବର ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ପୁଣି ଦୁର୍ନୀତିର ଗନ୍ତାଘର ପାଲଟିଛି ସୋରଭା ପଞ୍ଚାୟତ। ସୋରଭା ନାରାୟଣୀ ବିଦ୍ୟାପୀଠ ଠାରୁ ଆର.ଡି ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧.୫ କିମି ରାସ୍ତା ନିର୍ମାଣ କରିବା ନାମରେ ୬ରୁ ଅଧିକ ଥର ଚଞ୍ଚକତା କରି ପ୍ରାୟ ୨୦ ଲକ୍ଷ ଟଙ୍କା ମିଳିମିଶି ହଡ଼ପ ହୋଇଥିବା ପ୍ରମାଣ ମିଳିଛି। ସମାନ ରାସ୍ତାର ନାମ ବାରମ୍ବାର ବଦଳାଇ ଅସାଧୁ ଉପାୟରେ ସରକାରୀ ସମ୍ପତି ଆତ୍ମସାତ କରିଥିବା ବେଳେ ରାସ୍ତା କାମ ଜମାରୁ ହୋଇନଥିବା ଦେଖିବାକୁ ମିଳିଛି। ହେଲେ କୌଣସି କାର୍ଯ୍ୟ ହୋଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟ ନକରି ସମାନ ରାସ୍ତା ପାଇଁ ୨୦୧୦ ମସିହାରେ ୨୨୯୯୦୨ ଟଙ୍କା, ୨୦୧୪ ମସିହାରେ ୨୭୭୫୭୧ ଟଙ୍କା, ୨୦୧୮ ରେ ୩୯୯୭୦୨ ଟଙ୍କା, ୨୦୨୦ ମସିହାରେ ରାସ୍ତା ଓ କଲ୍ଭର୍ଟ ନିର୍ମାଣ ପାଇଁ ୭୬୦୦୧୩ ଟଙ୍କା, ୨୦୨୦ ମସିହାରେ ୧୪ଶ ଅର୍ଥ କମିଶନ ରୁ ୨୩୫୪୭୯ ଟଙ୍କା ଓ ୨୦୨୧ରେ ପଞ୍ଚାୟତ ନିଜ୍ଵସ ପାଣ୍ଠିରୁ ୪୫୪୫୦ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଇ ପ୍ରାୟ ୨୦ ଲକ୍ଷ ଟଙ୍କା ସରପଞ୍ଚ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ମିଳିମିଶି ହାରିଲୁଟ କରିଥିବା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବାସ୍ତବରେ ସରକାର ଲୋକଙ୍କ ମଙ୍ଗଳ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ତୃଣମୂଳ ସ୍ତରରେ ପହଞ୍ଚି ପାରୁନି ଲୋକଙ୍କ ସୁବିଧା। ହଡ଼ପ ହୋଈ ଯାଉଛି ସବୁ ଟଙ୍କା। ରକ୍ଷକ ଏଠି ଭକ୍ଷକ ସାଜିଲା ପରି ସରପଞ୍ଚଙ୍କ ସହ ସରକାରୀ କର୍ମଚାରୀ ବି ଲୁଟି ଚାଲିଛନ୍ତି ସରକାରୀ ସମ୍ପତି। କରୁଛନ୍ତି ହରିଲୁଟ। ଦେଖିବାକୁ ବାକି ରହିଲା କେବେ ମୋ ସରକାର ନେଉଛି ପଦକ୍ଷେପ ଓ ଦୁର୍ନୀତି ଗ୍ରସ୍ତ ନେତା ଓ ଅଫିସରଙ୍କ ପାଇଁ କଣ ନେଉଛି କାର୍ଯ୍ୟାନୁଷ୍ଠାନ।