ପୁରୀ ପୌର ପରିଷଦ ଅଧିକାରୀଙ୍କ ଦାଦାଗିରି
ଭୁବେନଶ୍ୱର / ପୁରୀ, (ଯୁଗାବ୍ଦ ନ୍ୟୁଜ):ପୁରୀ ସହରରେ ଗତ କିଛିଦିନ ହେଲା ଯେଉଁଭଳି ଭାବରେ ପୁରୀ ପୌର ପରିଷଦ ଷ୍ଟ୍ରିଟ ଭେଣ୍ଡର୍ସ ଆଇନ ନ ମାନି ଉଚ୍ଛେଦ କରିଚାଲିଛି ତାହା ବେଆଇନ ଦର୍ଶାଇ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ପୁରୀ ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ନାୟକ, ରାମଚନ୍ଦ୍ର ସାହୁ ପ୍ରମୁଖ ପୁରୀ କାର୍ଯ୍ୟନିର୍ବାହୀ ଅଧିକାରୀ, ପୁରୀ ମ୍ୟୁନିସିପାଲିଟି, ପୁରୀ ଜିଲ୍ଲାପାଳ ଏବଂ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷକଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ପୁରୀ ସହରରେ ପାଖାପାଖି ୪ ହଜାରରୁ ଅଧିକ ଉଠା ଦୋକାନୀ ଦୋକନ କରି ନିଜର ଜୀବନ ଜୀବିକା ବଞ୍ଚାଇବା ସହ ନିଜର ପରିବାର, ପିଲାଛୁଆଙ୍କର ମଧ୍ୟ ଦୁଃଖସୁଖ ବୁଝିଥାନ୍ତି । ଏତଦ୍ବ୍ୟତୀତ ସେମାନେ ପି.ଏମ୍ ସୋ ନିଧି ଯୋଜନାରେ ବହୁ ଦୋକାନୀ ଲୋନ୍ ନେଇ ବେପାର ବୃତ୍ତି କରିଥାନ୍ତି । ଯାହାଫଳରେ ପୁରୀ ସହରରେ ଯଦି ଦେଖାଯାଏ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧୬ ହଜାର ଲୋକ ଏହି ଦୋକାନୀ ମାନଙ୍କ ଉପରେ ନିର୍ଭର କରି ସେମାନଙ୍କ ପରିବାର ଭରଣ ପୋଷଣ କରିଥାନ୍ତି । ଖାଲି ସେତିକି ନୁହେଁ, ବହୁ ଚାଷୀମାନଙ୍କର ସାମଗ୍ରୀ ଆଣି ବେପାର କରିଥାନ୍ତି ଏବଂ ପୁରୀ ଜିଲ୍ଲାରେ ଥିବା ଛୋଟ ଛୋଟ କତାଶିଳ୍ପ, କୁଟୀର ଶିଳ୍ପ କାରିଗରମାନଙ୍କର ସାମଗ୍ରୀ ଆଣି ପୁରୀ ସହରରେ ବେପାରବୃତ୍ତି କରିଥାନ୍ତି । କିନ୍ତୁ ବଡ଼ ଦୁଃଖର କଥା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପାଖରେ ଭୋଗ, ଦୀପ, ଫୁଲ, ଫଳ, ବିଭିନ୍ନ ପ୍ରକାର ଭଗବାନଙ୍କ ମୃତ୍ତି, ଶଙ୍ଖଜାତୀୟ ଦ୍ରବ୍ୟ, ବିଭିନ୍ନ ପ୍ରକାର ମାଳି ଭଳି ସାମଗ୍ରୀ ଭକ୍ତମାନଙ୍କୁ ବିକ୍ରି କରିଥାନ୍ତି । କିନ୍ତୁ ଗତ କିଛିଦିନ ତଳେ ପୁରୀ ମ୍ୟୁନିସିପାଲିଟି ସମ୍ବିଧାନର ଧାରା ୧୯(୧) (ଛ) ଓ ଉଠା ଦୋକାନୀ ଆଇନକୁ ନ ମାନି ସେମାନଙ୍କୁ ଉଚ୍ଛେଦ କରିଛନ୍ତି ଏବଂ ମନ୍ଦିର ପାଖରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରୁ ୨ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିଛନ୍ତି । ସେଥିମଧ୍ୟରୁ କିଛି ଦୋକାନୀମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଆଉ ବହୁ ଉଠାଦୋକାନୀ ଅର୍ଥ ପାଇବାରୁ ବଞ୍ôଚତ ହୋଇଛନ୍ତି ଯାହାକି ଉଠାଦୋକାନୀ ଆଇନ ବିରୋଧୀ । ଷ୍ଟ୍ରିଟ ଭେଣ୍ଡର୍ସ ଆକ୍ଟ ଚାପ୍ଟର-୨ର ୩ ନମ୍ବରରେ କୁହାଯାଇଛି ଯେ, ଆପଣମାନେ ଉଠାଦୋକାନୀଙ୍କୁ ଉଚ୍ଛେଦ କରିପାରିବେ ନାହିଁ । ଯଦି ଉଚ୍ଛେଦ ଦରକାର ପଡ଼େ, ତାହେଲେ ଆପଣମାନେ ପ୍ରଥମେ ଉଠାଦୋକାନୀଙ୍କ ମତ ନେବେ, ସର୍ଭେ କରିବେ, ସାର୍ଟିଫିକେଟ ଦେବେ । ଯଦି ଦୋକାନୀମାନେ ଅନ୍ୟତ୍ର ଯିବା ପାଇଁ ରାଜି ହୁଅନ୍ତି, ତେବେ ଦୋକାନୀମାନଙ୍କୁ ଉଚ୍ଛେଦ ହୋଇପାରିବ, ଯଦି ରାଜି ନହୁଅନ୍ତି, ତେବେ ଉଚ୍ଛେଦ କରାଯାଇ ପାରିବ ନାହିଁ । ନିୟମକୁ ପାଳନ କରାଯାଇ ନାହିଁ ଯାହାକି ଆମେ ଦୁଃଖ ପ୍ରକାଶ କରୁଅଛୁ । ଦାବିଗୁଡ଼ିକ ହେଲା : ଆଇନ ଅନୁଯାୟୀ ପୁରୀ ସହରରେ ଯିଏ ଯେଉଁ ଜାଗାରେ ଉଠାଦୋକାନ କରି ବେପାର କରୁଛନ୍ତି, ସେହି ଜାଗାକୁ ଭେଣ୍ଡିଂଜୋନ ଘୋଷଣା କରାଯାଉ, ଯେଉଁ ଉଠାଦୋକାନୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ନାହିଁ, ସେମାନଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ କରାଯାଉ, ସମସ୍ତ ଉଠାଦୋକାନୀ ମାନଙ୍କୁ ଲେଟର ଅଫ ରେକୋମଣ୍ଡେସନ କ୍ଲିଅର କରାଯାଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୬୦ କୋଟି ଟଙ୍କାରୁ ତୁରନ୍ତ ପୁରୀ ସହରରେ ଅଧିକରୁ ଅଧିକ ଭେଣ୍ଡିଂଜୋନ ଗଠନ କରାଯାଉ, ପୁରୀ ସହରରୁ ଉଚ୍ଛେଦ ହୋଇଥିବା ପ୍ରତ୍ୟେକ ଉଠାଦୋକାନୀମାନଙ୍କୁ ତୁରନ୍ତ ଥଇଥାନ କରାଯାଉ, ନିର୍ବାଚନ ମାଧ୍ୟମରେ ଟାଉନ ଭେଣ୍ଡିଂଜୋନ ଗଠନ କରାଯାଉ । ଯଦି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳ ଏହି ଦାବି ପ୍ରତି ଧ୍ୟାନ ନଦିଅନ୍ତି, ତେବେ ଆସନ୍ତା ୨୦ ତାରିଖ ଜାତୀୟ ଉଠାଦୋକାନୀ ଦିବସରେ ପୁରୀ ଜିଲ୍ଲାପାଳ ଅଫିସ୍ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।


