ପୁରୀ ରଥଖଳାରେ କାଠପଡ଼ି ଶ୍ରମିକ ମୃତ ଘଟଣା ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ଦଶପଲ୍ଲା ବନାଞ୍ଚଳରୁ ପୁରୀ ରଥଖଳାକୁ ପଠାଯାଇଥିବା ଶେଷ ପର୍ଯ୍ୟାୟ କାଠ ଖାଲି କରିବା ସମୟରେ ଗତକାଲି ରଥଖଳାରେ ଏକ କାଠ ମାଡିବସିବାରୁ ଦଶପଲ୍ଲା ବନ୍ଧୁଗାଁ (ରଥଗାଁ) ଗ୍ରାମର ଶ୍ରମିକ ମାନସ ପ୍ରଧାନ(୩୨) ଏଥିରେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମାତ୍ର ଆଜି ଅପରାହ୍ନରେ ମାନସଙ୍କ ଶବ ଦଶପଲ୍ଲାରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସ୍ଥାନୀୟ ରଥଗାଁ ଠାରେ ଶବ ରଖି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମାନସ ଘରେ ରୋଜଗାରିଆ ପୁଅ ହୋଇଥିବା ବେଳେ ପୁଅକୁ ହରାଇ ପରିବାର ଲୋକ ଏବେ ବେସାହାରା ହୋଇ ପଡିଛନ୍ତି । ମାନସଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ୫ ମାସର ପୁଅଟିଏ ଅଛି । ମୃତ ମାନସଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଜାରି ରହିଥିବା ବେଳେ ପୂର୍ବ ଓ ପଶ୍ଚିମ ଓଡ଼ିଶା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ