ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହାସମାରୋହରେ ଯୋଗଦେବା ପାଇଁ ଯାତ୍ରା କଲେ ବାଲେଶ୍ୱରର ୪ ପୂଜକ
ବାଲେଶ୍ୱର, (ସରୋଜ ପଣ୍ଡା):ଦିନକ ପରେ ଲୋକାର୍ପିତ ହେବ ବହୁତ ପ୍ରତିକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ I ପୌଷ ଶୁକ୍ଳ ସପ୍ତମୀ ତିଥିର ପୁଣ୍ୟ ମୁହୂର୍ତ୍ତରେ ଯଜ୍ଞରେ ପୂର୍ଣ୍ଣାହୁତି ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପଣ ହେବ ବଡ଼ଦେଉଳ ପରିକ୍ରମାର ଭବ୍ୟରୂପ I ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦେବେ ଅନେକ ସୁନାମଧନ୍ୟ ଅତିଥି ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ I ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲାର ୪ ଜଣ ସେବାୟତ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି I ଏମାନଙ୍କ ମଧ୍ୟରେ ଅଛନ୍ତି ନୀଳଗିରିସ୍ଥିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ଶ୍ରୀଯୁକ୍ତ ସରୋଜ କୁମାର ନନ୍ଦ ଓ ପୂଜକ ଶ୍ରୀଯୁକ୍ତ ହରିବନ୍ଧୁ କର ଏବଂ ଚନ୍ଦନେଶ୍ୱରସ୍ଥିତ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବ ଜୀଉ ମନ୍ଦିରର ମୁଖ୍ୟ ଶ୍ରୀଯୁକ୍ତ ତପନ କୁମାର ପଣ୍ଡା ଓ ପୂଜକ ଶ୍ରୀଯୁକ୍ତ ବୁଦ୍ଧଦେବ ପଣ୍ଡା I ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ଦିନିଆ ଯାତ୍ରା ଆରମ୍ଭ ହୋଇଛି I ବାଲେଶ୍ୱର କଲେକ୍ଟୋରେଟ ପରିସରରୁ ନିମନ୍ତ୍ରିତ ମନ୍ଦିର ମୁଖ୍ୟମାନଙ୍କୁ ବିଦାୟ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ସୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଶୁଭ ମନାସୀ ଥିଲେ I ପ୍ରକାଶ ଥାଉକି, ଏହି ଉତ୍ସବକୁ ଜିଲ୍ଲାର ଦୁଇ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ୩ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ଦଳମାନ ଗଠନ ହୋଇଥିଲା, ଯେଉଁ ମାନେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିଥିଲେ । ଗତ ୨୦୨୩ ମସିହା ଡିସେମ୍ବର ୨୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲାର ନୀଳଗିରିସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଚନ୍ଦନେଶ୍ଵରସ୍ଥ ଶ୍ରୀ ଚନ୍ଦନେଶ୍ଵର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିଥିଲେ ।


