ପୁରୁଣା ବାଲେଶ୍ୱର ହତ୍ୟାକାଣ୍ଡର ବିଚାର ଶେଷ
ବାଲେଶ୍ୱର, (ସରୋଜ ପଣ୍ଡା):୬ବର୍ଷ ପୂର୍ବରୁ ପୁରୁଣା ବାଲେଶ୍ୱରରେ ଘଟିଥିବା ବହୁଚର୍ଚ୍ଚିତ ସେଲୁନ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ହତ୍ୟା ମାମଲାର ବିଚାର ଚାଲିଥିବା ବେଳେ ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ରାଜୁ ବାରିକଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟତମ ଅଭିଯୁକ୍ତ ବାଙ୍କୁ ଓରଫ ଅଭିଜିତ ସିଂହଙ୍କୁ ନିର୍ଦୋଷରେ ଖଲାସ ହୋଇଛନ୍ତି । ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜକୁ ଭିତ୍ତି କରି ଅତିରିକ୍ତ ଜିଲା ଓ ଦୌରାଜଜ ସଂଜୀବ ରଞ୍ଜନ ମହାନ୍ତି ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୨ବର୍ଷ ଜେଲ ଭୋଗିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ଏହି ୧୨ ଆସାମୀ ହେଲେ ମୟୂରଭଂଜ ଜିଲା ବଡ଼ସାହି ଅଞ୍ଚଳର ହାତୀ ଓରଫ ଅଜୟ କୁମାର ପଲେଇ (୨୦) ଓ ଗୁଡି ଓରଫ ଅକ୍ଷୟ କୁମାର ପଲେଇ (୨୧), ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ଡମ୍ବରୁ ଓରଫ ଡମ୍ବରୁଧର ଦାସ (୨୧), କଟି ମହାଳିକ (୨୩), ବଳିଆ ଓରଫ ଦିଗବିଜୟ ବାରିକ (୨୦), ଅନାମ ଓରଫ ସତ୍ୟପ୍ରକାଶ ଜେନା (୨୦), ସର୍ଫୁ ଓରଫ ଶେଖ ସର୍ଫୁଦ୍ଦିନ (୨୧), କାହ୍ନୁ ଓରଫ ହରେକୃଷ୍ଣ ମାଝୀ (୨୨),କାଳିଆ ଓରଫ କିରଣ ଦାସ (୨୭), ରିଣ୍ଟୁ ଓରଫ ରଂଜନ ମାଝୀ (୨୫), ପିଣ୍ଟୁ ଓରଫ ନିରଂଜନ ମାଝୀ (୨୨) ଓ ସୁନହଟ ଅଞ୍ଚଳର ଗୋରାନ ଓରଫ ଶେଖ ଜବିରବକ୍ସ (୨୦) । ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ମଲ୍ଲିକ ମାମଲା ପରିଚାଳନା କରୁଥିଲା ବେଳେ ନିର୍ଦୋଷରେ ଖଲାସ ହୋଇଥିବା ବାଙ୍କୁଙ୍କ ପାଇଁ ଆଇନଜୀବୀ ବିଶ୍ୱରଞ୍ଜନ ନାୟକ ଓ ଦେବବ୍ରତ ଦାସ ମାମଲା ପରିଚାଳନା କରୁଥିଲେ ।
୨୦୧୭ ମସିହା ମାର୍ଚ୍ଚ ମାସ ୩ ତାରିଖରେ ରଣଜିତ ଓ ସାଙ୍ଗ ସତ୍ୟରଞ୍ଜନ ପୁରୁଣା ବାଲେଶ୍ୱର ଅଞ୍ଚଳରେ ଥିବା ଏକ ସେଲୁନରେ ଚୁଟି କାଟିବାକୁ ଯାଇଥିଲେ । ଏହି ସମୟରେ ୧୪ ଜଣ ଯୁବକ ଖଣ୍ଡା, ଭୁଜାଲି ଓ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ରଣଜିତ ଓ ସତ୍ୟରଞ୍ଜନ ଗୁରୁତର ହୋଇ ସେହିଠାରେ ପଡ଼ି ରହିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ହେଲେ ୪ ତାରିଖ ଦିନ ରଣଜିତଙ୍କର ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସେତେବେଳେ ରାସ୍ତାରୋକ, ପୋଡ଼ାଜଳା ପ୍ରଭୃତି ହୋଇଥିଲା ।