ପୁରୁଣା ସାମଗ୍ରୀ ବଦଳରେ ନୂଆ ମୋବାଇଲ ଫୋନ୍ ଦେବାକୁ କହି ଠକେଇ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମରେ ହରିଶ୍ଚନ୍ଦ୍ର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଅଭିନବ ଠକେଇର ଶୀକାର ହୋଇଥିବା ଜଣାପଡିଛି। ପୁରୁଣା ସାମଗ୍ରୀ ବଦଳରେ ଭିଭୋ କମ୍ପାନୀର ମୋବାଇଲ ଫୋନ ଅଫର୍ ମୂଲ୍ୟରେ ଦିଆଯିବା ର ପ୍ରତିଶୃତି ଦେଇ “ଏସିଆନ ଏଣ୍ଟେର ପ୍ରାଇସେସ” ନାମକ ଏକ ମାର୍କେଟିଂ ସଂସ୍ଥାର କର୍ମଚାରୀ ରାକେଶ ଓରଫ ଅସିତ କୁମାର ପତି ହରିଶ୍ଚନ୍ଦ୍ର ଙ୍କ ଠାରୁ ୧୧୬୫୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଠକେଇର ଶୀକାର ହୋଇଥିବା ହରିଶ୍ଚନ୍ଦ୍ର ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ କେ. ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲu ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।ଗତ ୨୭ ତାରିଖ ରେ ଏକ ଇକୋ ଭ୍ଯାନରେ ସମ୍ପୃକ୍ତ ଘରୋଇ ମାର୍କେଟିଂ କର୍ମଚାରୀ ସମାସିଙ୍ଗି ଗ୍ରାମରେ ପହଞ୍ଚି ପୁରୁଣା ଘରକରଣା ସାମଗ୍ରୀ ବଦଳରେ ନୂଆ ଜିନିଷ ଦିଆଯାଉଥିବା ମାଇକ ଯୋଗେ ପ୍ରଚାର ଚଳାଇଥିଲେ।ହରିଶ୍ଚନ୍ଦ୍ର ତାଙ୍କର ଏକ ପୁରୁଣା ଏଲଇଡି ଟିଭି ବଦଳାଇବା ପାଇଁ ଚାହିଁବାରୁ ତାଙ୍କୁ ପ୍ରତିବଦଳରେ ଏକ ପ୍ରେସର କୁକର , ଏକ ସାଉଣ୍ଡ ବକ୍ସ ସହ ଅଫର୍ ମୂଲ୍ଯରେ ଥିବା ଏକ ଭିଭୋ ମୋବାଇଲ ଫୋନ ଅତିରିକ୍ତ ୧୧୬୫୦ ଟଙ୍କା ପୈଠ କଲେ ଦିଆଯିବ ବୋଲି କୁହାଯାଇଥିଲା। କର୍ମଚାରୀ ଜଣକ ଏକ ଫୋନ ନମ୍ବରକୁ ଫୋନ ପେ’ ମାଧ୍ୟମରେ ଟଙ୍କା ପୈଠ କରିବାକୁ କହିଥିଲେ।ଟଙ୍କା ପୈଠ ହୋଇସାରିବା ପରେ କର୍ମଚାରୀ ଜଣକ ଗାଁ ର କିଛି ଦୂରରେ ଥିବା ଗାଡିରୁ ଏକ ନୂଆ ପ୍ରେସର କୁକର ଏବଂ ଏକ ସାଉଣ୍ଡ ବକ୍ସ ଆଣି ହରିଶ୍ଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଗାଡିରୁ ମୋବାଇଲ ଫୋନ ଆଣୁଛି କହି କୌଶଳକ୍ରମେ ଗାଁରୁ ଚମ୍ପଟ ମାରିଥିଲେ।ବହୁ ଖୋଜାଖୋଜି ସତ୍ତ୍ୱେ ସମ୍ପୃକ୍ତ ଠକ ଯୁବକଙ୍କ କୌଣସି ସନ୍ଧାନ ନମିଳିବା ଯୋଗୁଁ ହରିଶ୍ଚନ୍ଦ୍ର ଥାନାରେ ଏତଲା ଦେଇଥିବା ଜଣାପଡିଛି।