ପୁରୁଷୋତ୍ତମପୁର ଗ୍ରାମବାସୀଙ୍କ ଦ୍ୱାରା ଏରାଗ୍ରାମରାସ୍ତାକୁ ବେଆଇନ ଜବରଦଖଲ ଅଭିଯୋଗ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଂଚାୟତର ଏରାଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଏରା ଓ ପୁରୁଷୋତ୍ତମପୁର ଗ୍ରାମକୁ ସଂଯୋଗ କରୁଥିବା ଏରା ଗ୍ରାମରସୀମାରେ ଥିବା ତାଳଗଣ୍ଡ – ଅଜାଣି ପୋଖରୀ ରାସ୍ତାରେ ଏରା ଓ ପୁରୁଷୋତ୍ତମପୁର ଗ୍ରାମବାସୀମାନେ ସେମାନଙ୍କ ହଳବଳଦ ବିଲକୁ ନେଇଥାନ୍ତି । ଏଥିସହିତ ଉଭୟ ଗ୍ରାମର ଅଧିବାସୀମାନେ ଏହିରାସ୍ତା ଦେଇ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାତାୟତ କରିଥାନ୍ତି । କିନ୍ତୁ ପୁରୁଷୋତ୍ତମପୁର ଗ୍ରାମର କେତେକ ମୁଷ୍ଟିମେୟ ତଥା ପ୍ରଭାବଶାଳି ଲୋକ ସେମାନଙ୍କ ଗ୍ରାମସୀମା ମଧ୍ୟରେ ଥିବା ଜଳନିଷ୍କାସନ ପଥକୁ ଅବରୋଧ କରି ଘରଡିହ ବାନ୍ଧିବା ଏବଂ ପୋଖରୀ ଆଡି କରିବା ଫଳରେ ସେମାନଙ୍କ ଗ୍ରାମର ବର୍ଷାଜଳ ସେହିଗ୍ରାମ ମଧ୍ୟରେ ଅବରୋଧ ହୋଇ ରହିଛି । ଏଭଳି ପରିସ୍ଥିତିରେ ସେହିଗ୍ରାମର ଗ୍ରାମବାସୀମାନେ ସେହି ଅବରୋଧକୁ ହଟାଇ ଜଳ ନିଷ୍କାସନ କରିବା ପରିବର୍ତ୍ତେ ଏରାଗ୍ରାମର ବନ୍ଧକୁ ହାଣି ପାଣିନାଳ କରିବା ଉଦେଶ୍ୟରେ ଏକ ବେସରକାରୀ ଅସାଧୁ ଅମୀନକୁ ଡାକି ସେ ଅଂଚଳ ପାଣିରେ ବୁଡିଥିବା ସତ୍ୱେ ଏବଂ ସୀମାସୂଚକ ଚିହ୍ନ ପାଣିରେ ବୁଡିଯାଇ ଜଣାପଡୁନଥିଲେ ମଧ୍ୟ ସଂପୂର୍ଣ୍ଣ ଭ୍ରମାତ୍ମକ ଭାବେ ଏକ ତରଫା ମାପ କରାଇ ଏରା ତାଳଗଣ୍ଡ – ଅଜାଣି ପୋଖରୀ ରାସ୍ତାର ୩/୪ଅଂଶକୁ ମଡାଇ ଖୋଳିବା ନିମନ୍ତେ ଚିହ୍ନ ଦେଇଥିବା ଏରା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେହି ମାପ ନିମନ୍ତେ ଏରାଗ୍ରାମର କାହାରିକୁ ଡକାଯାଇନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ପରନ୍ତୁ ଏରାଗ୍ରାମର ଲୋକମାନେ ଏସମ୍ପର୍କରେ ଜାଣିବା ପରେ ସେଠାକୁ ଯାଇ ବେଆଇନ ମାପଚୁପର ପ୍ରତିବାଦ କରିବାରେ ସେମାନେ ସ୍ଥାନଛାଡି ପଳାଇଯାଇଥିଲେ । ପୁରୁଷୋତ୍ତମପୁର ଗ୍ରାମବାସୀମାନେ କୈାଣସି ସମୟରେ ଜୋରଜବରଦସ୍ତି ଭାବରେ ସେ ସ୍ଥାନରେ ନାଳ ଖୋଳିବାର ସମ୍ଭାବନା ରହିଥିବାରୁ ତଥା ଏନେଇ ଏରା ଓ ପୁରୁଷୋତ୍ତମପୁର ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗିରହିଥିବାରୁ ଏହାର ସମାଧାନ ନିମନ୍ତେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏରା ଗ୍ରାମବାସୀମାନଙ୍କ ପକ୍ଷରୁ ଯଶୋବନ୍ତ ବେହେରା,ଜଗମୋହନ ଖୁଁଟିଆ,ନିର୍ମଳ କୁମାର ପରିଡା,ଗୈାରାଙ୍ଗ ଚରଣ ଲେଙ୍କା,ଗୋଲକ ଚନ୍ଦ୍ର ସେଠୀ,ବୁଲୁ ଲେଙ୍କା,ଗଣେଶ୍ୱର ବେହେରା,ହରିଶ୍ଚନ୍ଦ୍ର ଲେଙ୍କା,ରବିନ୍ଦ୍ର କୁମାର ପାଲ,ଜଗବନ୍ଧୁ ଲେଙ୍କା,ପୂର୍ଣ୍ଣଚନ୍ଦ୍ର ପାଲ,ମୀନକେତନ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ,କେନ୍ଦ୍ରାପଡା ବିଡିଓ ଘଟଣାସ୍ଥଳକୁ ଯାଇ ଉଭୟ ଗ୍ରାମର ଗ୍ରାମବାସୀମାନଙ୍କୁ ବୁଝାଶୁଝା କରି ପରବର୍ତ୍ତୀ ସମୟରେ ମାପଚୁପ ହୋଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇ ଫେରିଆସିଥିବା ଜଣାପଡିଛି ।