ପୁଲିସ ଓ ପୌର ପ୍ରଶାସନର ମିଳିତ ଚଢାଉ ୭ ଦୋକାନ ସିଲ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୂ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଦିନକୁ ଦିନ ମୃତ୍ୟୁ ଓ ଅକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁଣ୍ଣ ସଟଡ଼ାଉନ ଘୋଷଣା କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ସକାଳ ୭ ଟା ଠାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟବଶ୍ୟକ ସାମଗ୍ରୀ ଦୋକାନ ବଜାର ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଏଥି ସହ ପ୍ରତ୍ୟେକ ଅତ୍ୟବାଶ୍ୟକ ସାମଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନ ସାମାଜିକ ଦୂରତ୍ୱ ରକ୍ଷା ପାଳନ କରିବା ସକାଶେ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନର ନିୟମକୁ ନମାନି ସୋମବାର ଦୋକାନ ବଜାର ଖୋଲିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିନଥିବାରୁ ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ୩ଟି ସ୍ୱର୍ଣ୍ଣ ଅଳଙ୍କାର ଦୋକାନ, ୩ଟି ରସ ଓ ଆଲୁମିନିୟମ ଦେ।।କାନ ସହ ଏକ ଜୋତା ଦୋକାନକୁ ସିଲ୍ କରାଯାଇଛି । ଚଢାଉରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର କର୍ମଚାରୀ ଅଶ୍ୱିନି ନାୟକ, ରବି ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କରୋନା କଟକଣାକୁ ନମାନି ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଲେ ଆଗାମୀ ଦିନରେ ପୌର ପ୍ରଶାସନ ପକ୍ଷରୁ ଚଢାଉ ଜାରୀ ରହିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।