ପୁଲିସ କର୍ମଚାରୀଙ୍କ ମହାନତା
ବିଦେଶୀ ପର୍ଯ୍ୟଟକଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଲା ଉତ୍ତର ପ୍ରଦେଶ ପୋଲିସ୍ । ଉତ୍ତର ପ୍ରଦେଶର ସରକାରୀ ରେଲୱେ ପୋଲିସ୍ (ଜିଆର୍ପି) ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରସ୍ତ କରି ପ୍ରଶଂସା ସାଉଁଟିଛି । ହଜିଯାଇଥିବା ଫୋନ୍ଟିକୁ ପାଇ ପୁଲିସ୍ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ ବିଦେଶୀ ନାଗରିକ । ପୁଲିସର କହିବା ମୁତାବକ, ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜଙ୍କସନରେ ଏହି ଆମେରିକୀୟ ଯାତ୍ରୀ ପ୍ଲାଟଫର୍ମରେ ମୋବାଇଲ୍ ଚାର୍ଜିଙ୍ଗ୍ ପଏଣ୍ଟରେ ଫୋନ୍ ଲଗାଇ ଭୁଲିଯାଇଥିଲେ । ଜଣେ ଜିଆରପି କନଷ୍ଟେବଲଙ୍କ ନଜର ମୋବାଇଲ ଉପରେ ପଡ଼ିବା ପରେ ସେ ଯାଞ୍ଚ୍ କରିବା ପାଇଁ ଫୋନକୁ ଥାନାକୁ ନେଇ ଆସିଥିଲେ । ଫୋନ୍ଟି ଜଣେ ବିଦେଶୀ ନାଗରିକଙ୍କ ଜଣାପଡ଼ିବା ପରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ପ୍ଲାଟଫର୍ମରେ ବିଦେଶୀ ଜଣଙ୍କୁ ଖୋଜିଥିଲା ପୋଲିସ୍ । ବହୁ ଖୋଜାଖୋଜି ପରେ ଜୋସେଫ୍ ମେଲ୍ଟଜର୍ ନାମକ ଏହି ବିଦେଶୀ ଯାତ୍ରୀଙ୍କୁ ପାଇବା ପରେ ପୋଲିସ୍ ତାଙ୍କୁ ଫୋନ୍ ହସ୍ତାନ୍ତର କରିଥିଲେ । ଫୋନ୍ ପାଇବା ପରେ ଜୋସେଫ୍ ପୁଲିସ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ “ଧନ୍ୟବାଦ ଭାରତ’ ବୋଲି କହିଥିଲେ ।


