ପୁଲିସ ତରଫରୁ ଗୋଛାପଡ଼ା ଥାନା ଅଞ୍ଚଳରେ ଜୋରଦାର କମ୍ବିଂ, ମହିଳା ମାଓବାଦୀ ମୃତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅଡ଼ାବାଲି ଓ ଆଖପାଖ ଜଙ୍ଗଲର ପୁଲିସ ପକ୍ଷରୁ ହୋଇଥିବା କମ୍ବିଂ ଅପରେସନରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ଗତ ତିନିଦିନ ଧରି କମ୍ବିଂ ଚାଲିଥିଲା। ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଅଞ୍ଚଳରେ କିଛି ମାଓବାଦୀ ରହିଥିବା ସନ୍ଦେହ କରି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯଇଥିଲା। ସେହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ମହିଳା ମାଓବାଦୀ ୟୁନିଫର୍ମ ପିନ୍ଧିଥିବା କୁହାଯାଇଛି। ସଂପୃକ୍ତ ଅଂଚଳରୁ ପୁଲିସ ଦୁଇଟି ବନ୍ଧୁକ ଓ ଚାରି ରାଉଣ୍ଡ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ମହିଳା ମାଓବାଦୀଙ୍କ ପରିଚୟ ଜଣାପଡିନି। ସଂପୃକ୍ତ ଅଞ୍ଚଳରେ ୧୫ରୁ ଅଧିକ ମାଓବାଦୀ ରହିଥିବା ସନ୍ଦେହ କରାଯାଉଛି। ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କମ୍ବିଂ ଅପରେସନରେ ଡିଭିଏଫ ଓ ଏସଓଜି ସାମିଲ ଥିଲେ। ଏନେଇ ଜିଲା ପୁଲିସ୍‍ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନି। ଅଧିକ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ପୁଲିସ୍‍ ପ୍ରଶାସନ ପ୍ରକାଶ କରିଛି।କିଛିମାସ ତଳେ ମଧ୍ୟ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡ଼ା ଅଞ୍ଚଳରେ ଏକାଧିକ ଥର ମାଓବାଦୀ-ପୁଲିସ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିଲେ। ସେହିଭଳି ଗୋଛାପଡା ଥାନା ଅଞ୍ଚଳରୁ ଦୀର୍ଘଦିନ ଧରି ମାଓ ସଂଗଠନରେ ସାମିଲ୍‍ ଥିବା ଜଣେ ମାଓବାଦୀ ମଧ୍ୟ ପୁଲିସ୍‍ ନିକଟରେ ଗତବର୍ଷ ଆତ୍ମସମର୍ପଣ କରିଥିଲେ। ଅନ୍ୟପକ୍ଷରେ ଆଜି ଫୁଲବାଣୀ ଠାରେ ଆୟୋଜିତ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫୁଲବାଣୀ ଆସିଥିଲେ ମଧ୍ୟ ଗୋଛାପଡା ଥାନା ଅଞ୍ଚଳର କେତେକ ସ୍ଥାନରେ କମ୍ବିଂ ଚାଲିଥିବା ଖବର ପାଇ ସେ ବାଟରେ ଜଣେ ସମ୍ପର୍କୀୟଙ୍କ ଘରେ ରାତ୍ରି ଯାପନ କରିଥିବା ଖବର ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ