ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ସମେତ ୨ ଆତଙ୍କବାଦୀ ନିହତ
ଜମ୍ମୁ: ନିଜର ୪ଯବାନଙ୍କ ବଳିଦାନ ଦେଇ ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ। ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଲୱାମା-ପିଙ୍ଗଲିନା ଘାଟିରେ ଲୁଚି ରହିଥିବା ୨ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ନିହତଙ୍କ ମଧ୍ୟରେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଗାଜି ରସିଦ ରହିଥିବା ସୂଚନା ମିଳିଛି। ଅନ୍ଜୟ ଣେ ନିହତ ହେଉଛନ୍ତି ଗାଜିଙ୍କ ସହଯୋଗୀ କମରାନ। ଦୁଇଜଣ ଯାକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ।
ପୁଲୱାମା ଆକ୍ରମଣର ପରେ ଭାରତୀୟ ସେନା ପକ୍ଷରୁ ରବିବାର ସକାଳୁ ଅପରେଶନ-୨୫ ଅଭିଯାନକୁ ଜୋରଦାର କରାଯାଇଛି। ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ଘଟଣାସ୍ଥଳଠାରୁ ୨୫ କି.ମି. ଦୂରତା ବ୍ୟବଧାନରେ ଥାଇପାରେ ବୋଲି ଗୋଇନ୍ଦା ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଗାଜି ଏବଂ ତାଙ୍କ ସହଯୋଗୀ କମରାନ ପୁଲୱାମାଠାରୁ ୨କି.ମି. ଦୂର ପିଙ୍ଗଲିନାଠାରେ ଲୁଚି ରହିଥିବା ସେନାକୁ ସୂଚନା ମିଳିଥିଲା। ଏହାପରେ ରବିବାର ବିଳମ୍ବିତ ରାତିରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସେଠାରେ ଚଢ଼ାଉ କରିଥିଲେ। ଆତଙ୍କବାଦୀଦ୍ବୟ ଲୁଚି ରହିଥିବା ଘରକୁ ଯବାନମାନେ ଘେରିଯାଇଥିଲେ। ଫଳରେ ସେଠାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଶେଷରେ ଯବାନମାନେ ଉକ୍ତ ଘରକୁ ଉଡ଼ାଇଦେଇଥିଲେ, ଯେଉଁଥିରେ ଗାଜି ଏବଂ କମରାନ ନିହତ ହୋଇଥିଲେ। ଗୁଳିବିନିମୟରେ ୪ ଯବାନ ଶହୀଦ ହୋଇଥିଲେ।