ପୂଜା ମଣ୍ଡପରେ ଲାଗିଛି ନେତାଙ୍କ ଭିଡ
ବିଜେପୁର,(ଯୁଗାବ୍ଦ ନ୍ୟୁଜ) : ପୂଜା ମଣ୍ଡପରେ ନେତାଙ୍କ ଭିଡ । ଠାକୁର ଦେଖା କଦଳି ବିକା ଏକାସାଙ୍ଗରେ ଚାଲିଛି। ମଣ୍ଡପରୁ ମଣ୍ଡପ ବୁଲୁଛନ୍ତି ପ୍ରାର୍ଥୀ । ମାଆଙ୍କୁ ଦର୍ଶନ କରିବା ସହ ମାଙ୍କ ଭରସାରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିରୁ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଏପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁରରେ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଛନ୍ତି। ଲୋକଙ୍କୁ ମଧ୍ୟ ଏହି ଅବସରରେ ଭେଟିଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲଟରେ କର୍ମୀ ମାନଙ୍କ ସହିତ ବୈଠକ କରି ରଣନୀତି ନେଇ ଆଲୋଚନା କରିଛନ୍ତି। ପୂଜା ଥିବାରୁ ଗଣ୍ଡାଗଣ୍ଡା ନେତା ଗଡ଼ ଜଗି ବସିଛନ୍ତି ସତ କିନ୍ତୁ ଜୋରଦାର ପ୍ରଚାର ଆରମ୍ଭ ହୋଇପାରିନି। ଦଶହରା ପରେ ଆସନ୍ତା ୧୦ ତାରିଖରୁ ତିନି ଦଳ ପ୍ରଚାରରେ ଆହୁତି ଦେବେ। ବିଜେପି ଓ କଂଗ୍ରେସ ଷ୍ଟାର ତାଲିକା ପ୍ରସ୍ତୁତ କରି ଦେଇଛନ୍ତି ହେଲେ କାହା ସିଡ୍ୟୂଲ ଫାଇନାଲ ହୋଇପାରୁନି। ନବରାତ୍ରି ଯିବା ପରେ ୯ ତାରିଖ ରାତିରେ ତିନି ଦଳର ତୁଙ୍ଗ ନେତା ପହଁଞ୍ଚି ୧୦ ତାରିଖରୁ ପ୍ରଚାର ମଙ୍ଗ ଧରିବେ ବୋଲି କହିଛନ୍ତି। ମା ଦୁର୍ଗା ଧରା ପୃଷ୍ଠକୁ ଅବତରଣକରିଛନ୍ତି । ଏହି ସମୟରେ ଭୋଗ ଧଣ୍ଡା ଖାଇ ଓଖୁଆଇ ପ୍ରଚାର କଲେ ଅଧିକ ପ୍ରଭାବ ପଡ଼େ ବୋଲି କୁହାଯାଏ। ତେଣୁ ମା ହିଁ ପାର୍ କରିବେ ।