ପୂଜ୍ୟପୂଜା ପ୍ରାଣ ମୁକୁନ୍ଦ ଶତପଥୀଙ୍କୁ “କାନ୍ତକବି ସ୍ମୃତି ସମ୍ମାନ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୯ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତାର ଥିଲେ ସର୍ବକାଳୀନ ଆଦର୍ଶ । ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ରଚନା କରିବା ସହିତ ତାଙ୍କ ସାହିତ୍ୟ ଓ ସାମ୍ବାଦିକତାରେ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଥିଲା । ଏହା ସହିତ ତାଙ୍କ କବିତା ଦେଶପ୍ରେମ ତଥା ସାହିତ୍ୟ ପତ୍ରିକା ‘ଡଗର’ର ପ୍ରତିଷ୍ଠାତା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ଏହି ଅବସରରେ ଭାଷା ସଂସ୍କୃତି ପ୍ରାଣ ମୁକୁନ୍ଦ ଶତପଥୀଙ୍କୁ “କାନ୍ତକବି ଲକ୍ଷ୍ମୀକାନ୍ତ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ବର୍ଷିୟାନ୍ ଭାଷା ପ୍ରାଣ ତଥା ପୂର୍ଣ୍ଣାଙ୍ଗ ଉତ୍କଳନ୍ୟାସର ପ୍ରତିଷ୍ଠାତା ପର୍ଶୁରାମ ଦ୍ୱିବେଦୀ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ ଜନନେତା ପ୍ରାକ୍ତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ସୁୁପୁତ୍ର ମହାଭବ ପ୍ରକାଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା ସଭାପତି ଦିଲ୍ଲୀପ ଦାସ ଶର୍ମା, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ପ୍ରଭୁକଲ୍ୟାଣ ମହାପାତ୍ର, କବି ପ୍ରବୀର ମହାନ୍ତି, ପ୍ରାଚାର୍ଯ୍ୟ ଆସିତ୍ ଦାସ, ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ଶୀତଳ ପ୍ରସାଦ ମହାନ୍ତି, ରୋହିତ କୁମାର ନାୟକ, ବି. ମୂରଲିଧର ପ୍ରମୁଖ ନିଜର ଶ୍ରଦ୍ଧାବଚନାର୍ପଣରେ କାନ୍ତକବିଙ୍କ ଜନ୍ମସ୍ଥାନକୁ ଐତିହ୍ୟର ମାନ୍ୟତା ଦେବା, ଘୋଷଣା ଆଧାରରେ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ଶୀଘ୍ର “ବନ୍ଦେ ଉତ୍କଳ ଜନନୀ” ଓ କାନ୍ତକବିଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରାଇବା, ମାଧ୍ୟମିକ ବିଦ୍ୟାଳୟରେ ପ୍ରାର୍ଥନା “ଆହେ ଦୟାମୟ ବିଶ୍ୱବିହାରୀ” ଓ “ବନ୍ଦେ ଉତ୍କଳ ଜନନୀ”କୁ ଦୈନିକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ ନାରାୟଣ ଓଝା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


