ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରାଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ପିଏମ୍ଜି ଛକ ନିକଟ ତାଙ୍କ ପ୍ରତିମୂର୍ତି ସ୍ଥଳଠାରେ ଓଡ଼ିଆଙ୍କ ଚିର ବନ୍ଦନୀୟ, ମହାନ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକତାର ମହାନ୍ ବ୍ୟକ୍ତିତ୍ୱ ତଥା କାଳଜୟୀ ଲେଖା ‘ବନ୍ଦେ ଉତ୍କଳ ଜନନୀ’ର ଶ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୬୮ତମ ଶ୍ରାଦ୍ଧ ଦିବସ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତିଚାରଣପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମ, ସାହିତ୍ୟିକ, ସାମ୍ବାଦିକ ତଥା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ଶ୍ରଷ୍ଠା କାନ୍ତକବି ଥିଲେ ଉତ୍କଳର ସର୍ବକାଳୀନ ଆଦର୍ଶ । ତାଙ୍କର ଲେଖା ସମାଜରେ ସବୁ ସ୍ତରରେ ପ୍ରଭାବ ପଡ଼ିବା ସହିତ ଏକ ଆଦର୍ଶ ରୂପେ ପ୍ରତୀକ ମାନ ହୋଇଆସିଛି । ଡଗର ପତ୍ରିକାର ସଂପାଦକ ଭାବେ କାର୍ଯ୍ୟ କରିବା ତଥା ବୁଢ଼ା ସଙ୍ଖାରୀ, କଣା ମାମୁଁ ପ୍ରମୁଖ ଅମର ଲେଖା ଆଜି ବି ବହୁ ପ୍ରାସଙ୍ଗିକତା ରଖେ । ମାତୃଭୂମୀର ସେବା ତଥା ମାତୃଭାଷାର ସୁରକ୍ଷା ପାଇଁ ତାଙ୍କର ସମର୍ପଣ ଭାବ ଅବର୍ଣ୍ଣନୀୟ । ଜାତୀୟ ପତାକା, ସମର ସଂଗୀତ ପ୍ରମୁଖ ତାଙ୍କର କାଳଜୟୀ କୃତି । ତାଙ୍କ ଆଦର୍ଶରେ ଆଜିର ଯୁବପୀଢ଼ୀ ଅନୁପ୍ରାଣିତ ହୁଅନ୍ତୁ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତୁଳନୀୟ ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରାଙ୍କୁ ବିଧାୟକ ରମେଶ କୁମାର ସାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ । ଅଭିଯାନର ବରିଷ୍ଠ ସଦସ୍ୟ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ, ବି. ମୂରଲୀଧର, ଡ. ଅସୀତ୍ ଦାସ, ମୁକ୍ତାକାଶ ପାଠାଗାର ସଭାପତି କମଳ ଲୋଚନ ବିଶ୍ୱାଳ, ଉପସଭାପତି ସୌଭାଗ୍ୟ ରଂଜନ ମହାନ୍ତି, ସଂଜିବ୍ ପଣ୍ଡା, ଲକ୍ଷ୍ମଣ ଦାସ, ରୋହିତ କୁମାର, ତନ୍ମୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଅଭିଯାର ସଂଯୋଜକ ନାରାୟଣ ଓଝା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।