ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ୟୁନିଟ-୮ସ୍ଥିତ ପ୍ରତିମୂର୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଥିଲେ ଏକାଧାରାରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜସେବୀ, ସଂପାଦକ, ପଂଚସଖାମାନଙ୍କ ମଧ୍ୟରୁ ଅନ୍ୟତମ ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା, ସଂସ୍କୃତିକୁ ତାଙ୍କ ଅବଦାନ ଥିଲା ଅତୁଳନୀୟ । ଏହାସହିତ ସମାଜସେବାର ମୂର୍ତିମନ୍ତ ପ୍ରତୀକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଖବର କାଗଜ ସମାଜର ସଂପାଦକ ଭାବେ ତାଙ୍କ ସମର୍ପିତ ନିଷ୍ଠା ଓ କାର୍ଯ୍ୟର ଆଜି ବି ପ୍ରାସଙ୍ଗିକତା ରହିଛି । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ଓଡ଼ିଶା ନାଗରିକ ମହାମଂଚର ସଂପାଦକ ପ୍ରଦୀପ ବିଶ୍ୱାଳ, ଉମାନାଥ ମିଶ୍ର, ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଯୁବ ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କୁ ବିଶ୍ୱମଣି ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।