ପୂଜ୍ୟମାନଙ୍କ ପୂଜା ହେଲେ ଯୁବପିଢିଙ୍କୁ ନୂତନ ବାର୍ତ୍ତା ଯିବ : ସ୍ୱାମୀ ବ୍ରହ୍ମାନନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହଂସପାଳ, ରୁଦ୍ରପୁରସ୍ଥ ନିଗମ କଳ୍ପତରୁ ଆଶ୍ରମ ସଭାଗୃହରେ ଗତକାଲି ସ୍ୱାମୀ ବ୍ରହ୍ମାନନ୍ଦ ୱାଲ୍‌ଡ଼ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଗୌରବ ସମ୍ମାନ-୨୦୨୨ ପ୍ରଦାନ ଉତ୍ସବ ଓ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ୱନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଦ୍‌ଗୁରୁ ଠାକୁର ନିଗମାନନ୍ଦଙ୍କ ପାଦୁକା ପୂଜା ସରିବା ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସ୍ୱାମିଜୀ ମହାରାଜ କହିଲେ ଯେ, ଭାରତୀୟ ସଂସ୍କୃତି ହେଉଛି ହଜାର ହଜାର ବର୍ଷର ସଂସ୍କୃତି ଏବଂ ସମ୍ପୂର୍ଣ୍ଣ ବୈଜ୍ଞାନିକ ବିଚାର ଧାରା ଉପରେ ପ୍ରତିଷ୍ଠିତ । ଆମ ଋଷିମାନେ ବିଶ୍ୱକୁ ଏକ ପରିବାରର ସଂଜ୍ଞା ଦେଇଛନ୍ତି ଯାହାକୁ ବିଶ୍ୱ ଏବେ ବିଶ୍ୱଭ୍ରାତୃତ୍ୱର କଥା କହୁଛି ।ସ୍ୱାମିଜୀ ଆହୁରି କହିଲେ ଯେ, ଆମ ସଂସ୍କୃତିରେ ପରିବାରରେ ସଂସ୍କାର କଥା ସବୁବେଳେ କହି ଆସିଛି । ସମାଜରେ ପୂଜ୍ୟ ମାନଙ୍କର ପୂଜା ହେଲେ ହିଁ ନୂତନ ଯୁବପିଢିଙ୍କୁ ନୂତନ ବାର୍ତ୍ତା ଯିବ । ନହେଲେ ଯୁବପିଢି ପାଶ୍ଚାତ୍ୟ ଦେଶରୁ ବୃଦ୍ଧାଶ୍ରମ ସଂସ୍କୃତି ଗ୍ରହଣ କରିବେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଲୋକ ବ୍ରହ୍ମଚାରୀ ସ୍ୱାଗତ କରି ସମସ୍ତ ସାଧୁସନ୍ଥ ବିଦ୍ୱାନଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥି, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ଓ କୁଳପତି ଡଃ ରବିନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମିଜୀ ମାନବ ଧର୍ମର ସୁରକ୍ଷା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିବାରୁ ଆମେ ଓଡ଼ିଶାବାସୀ ତାଙ୍କଠାରେ ଋଣୀ । ଏହି ଅବସରରେ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପାଲାଚାର୍ଯ୍ୟ ସ୍ୱର୍ଣ୍ଣଲତା ଲେଙ୍କା, କଣ୍ଠଶିଳ୍ପୀ ସୁବାସ ଦାସ, ଡଃ ମାନସ ରଞ୍ଜନ ମହାପାତ୍ର, କୁଳପତି ଡଃ ପଣ୍ଡା, ପ୍ରବଚକ ଜ୍ଞାନାନନ୍ଦ ସାଗର, ସେବିକା ହରପ୍ରିୟା ରାୟ, ଡ଼ାକ୍ତର ରବିନାରାୟଣ ପଣ୍ଡାଙ୍କୁ କଳିଙ୍ଗ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ପ୍ରଫୁଲ୍ଲ କୁମାର ମିଶ୍ର, ଡଃ ଚିତ୍ତରଞ୍ଜନ ପାଣି, ଡଃ ପ୍ରଫୁଲ୍ଲ ରଥ, ଡଃ ଦିନବନ୍ଧୁ ମହାରଣା, ପ୍ରଫେସର ବୈଷ୍ଣବ ଚରଣ ସାମଲ, ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, ବନ ମହାନ୍ତି, ପ୍ରମୋଦ ଆଚାର୍ଯ୍ୟ, ସିଦ୍ଧେଶ୍ୱର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ