ପୂଣ୍ୟପ୍ରଜ୍ଞା ଗୀତିମଞ୍ଚ ପ୍ରାୟୋଜିତ ବର୍ଷାବରଣ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରାବଣର ବର୍ଷାଭିଜା ଜୁଲାଇ ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ପୂଣ୍ୟ ଉତ୍କଳ ଫାଉଣ୍ଡେସନ ଓ ପ୍ରଜ୍ଞା ଏକାଡ଼େମିକ ଆଣ୍ଡ କଲ୍ଚର ଟ୍ରଷ୍ଟ ନିବେଦିତ ପୂଣ୍ୟପ୍ରଜ୍ଞା ଗୀତମଞ୍ଚ ଆନୁକୂଲ୍ୟଷର ଏବର୍ଷର ବର୍ଷାବରଣ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ କାର୍ଯ୍ୟକ୍ରମର ଅତିଥି ଉଦ୍ଘାଟକ ଭାବରେ ଶ୍ରୀଯୁକ୍ତ ସୁଶାନ୍ତ ନନ୍ଦ, ଭା.ପ୍ର.ସେ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ଓଡ଼ିଶା, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଭା.ପ୍ର.ସେ, ବରେଣ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାଏ, ଭା.ପ୍ର.ସେ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଏବଂ ଶ୍ରୀଯୁକ୍ତ ଅଜିତ ଶତପଥୀ, ଓ.ବ.ସେ, ଡିଏଫଓ, ଭୁବନେଶ୍ୱର ଓ କଟକ ବନଖଣ୍ଡଙ୍କୁ ମଞ୍ଚ ଉପରକୁ ପାଛୋଟି ଆଣିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ମହାପାତ୍ର ଓ ମହାସଚିିବ ଶ୍ରୀ ବୃନ୍ଦାବନ ଜେନା, ଦେବେନ ପ୍ରଧାନ, ଭା.ପ୍ର.ସେ, ଅତିରିକ୍ତ ଶସାନ ସଚିବ, ଜଙ୍ଗଲ ଓ ପରିବେଶ (ବରେଣ୍ୟ ଅତିଥି) ।ଅତିଥିମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର । ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିଥିଲେ ମହାସଚିବ ଶ୍ରୀ ଜେନା । ଅତିଥିମାନଙ୍କ ଦ୍ୱାରା ସଂକ୍ଷିପ୍ତ ଅଭିଭାଷଣ ପରେ ଅନୁଷ୍ଠାନର ସାହିତ୍ୟ ପତ୍ରିକା ‘ମୁକ୍ତକ’ର ଏକ ବିଶେଷ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।ପରେ ପରେ କଳା, ସାହିତ୍ୟ, ନାଟକ ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ଅତିଥିମାନଙ୍କ ଦ୍ୱାରା ବିଶିଷ୍ଟ କଣ୍ଠଶିଳ୍ପୀ ଡଃ ମିତାଲୀ ଚିନାରାଙ୍କୁ ପୂଣ୍ୟପ୍ରଜ୍ଞା ସ୍ୱର ସାମଜ୍ଞ୍ରୀ ସମ୍ମାନ, ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ନରୋତ୍ତମ ପରିଡ଼ାଙ୍କୁ ନାଟ୍ୟକାର ଶ୍ରୀ ରବୀନ୍ଦ୍ର ନାଥ ଦାସ ସ୍ମାରକୀ ନାଟ୍ୟ ସମ୍ମାନ, ବିଶିଷ୍ଟ ଗୀତିକାର ଶ୍ରୀ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କୁ ପୂଣ୍ୟପ୍ରଜ୍ଞା ଗୀତିକବି ସମ୍ମାନ, ବରିଷ୍ଠ ଗୀତିକାର, ଶିଶୁ ସାହିତ୍ୟିକ, ଗାଳ୍ପିକ ଶ୍ରୀଯୁକ୍ତ ହଂସନାଥ ମୁଦୁଲିଙ୍କୁ ପୂଣ୍ୟପ୍ରଜ୍ଞା ଜୀବନବ୍ୟାପୀ ସାହିତ୍ୟ ସାଧନା ସମ୍ମାନ ଏବଂ ଜନପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତା ଶ୍ରୀଯୁକ୍ତ ଅଜିତ ଶତପଥୀଙ୍କୁ ପୂଣ୍ୟପ୍ରଜ୍ଞା କଳାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍ସବର ସଙ୍ଗୀତ କାର୍ଯ୍ୟକ୍ରମ ‘ବରଷା ସଞ୍ଜ’ର ଗୀତ ଆରମ୍ଭ ହୋଇଥିଲା ଗୁରୁ ଶ୍ରୀ କେଶବ ଚନ୍ଦ୍ର ରାଉତଙ୍କ ପରିଚାଳନାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାର ବର୍ଷା ଆଧାରିତ ଏକ ଛାନ୍ଦରୁ । ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଡଃ ମିତାଲୀ ଚିନାରା ଶ୍ରୀ ଜୀବନାନନ୍ଦ ପାଣିଙ୍କ ରଚନାରୁ ‘କେତକୀ ଗୋ ଆଖି ଖୋଲ ବରଷା ଝରେ’ ଗୀତଟି ଗାନ କରି ଦର୍ଶକମାନଙ୍କୁ ମୋହିତ କରିଥିଲେ । ପାରମ୍ପରିକ ବର୍ଷାଗୀତ ପରେ ଶ୍ରୀ ମୁରଲୀଧରଙ୍କ ମଞ୍ଚପରିଚାଳନା, ସଙ୍ଗୀତ ନିର୍ଦ୍ଦେଶନା ଓ ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ସୁବାସ ରାମଙ୍କ ନିର୍ଦ୍ଦେଶନାରେ ଗୀତିକାର ସର୍ବଶ୍ରୀ ବୃନ୍ଦାବନ ଜେନା, ମନୋରଞ୍ଜନ ମହାପାତ୍ର, ଲକ୍ଷ୍ମୀନାରାୟଣ ମହାନ୍ତି, କମଳ କୁମାର ପଟ୍ଟନାୟକ ଓ ହଂସନାଥ ମୁଦୁଲିଙ୍କ ରଚନାରୁ କଣ୍ଠଶିଳ୍ପୀ କ୍ଷୀତିପ୍ରକାଶ, ପ୍ରତିଭା ପ୍ରଧାନ, ଛନ୍ଦା ମିଶ୍ର, ଭାଗ୍ୟଶ୍ରୀ, ସ୍ମରଣିକା, ଲଲିତକୃଷ୍ଣା ଓ ଆର୍ଯ୍ୟଙ୍କ କଣ୍ଠରେ ବର୍ଷା ଆଧାରିତ ସୁନ୍ଦର ସୁନ୍ଦର ଗୀତମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ସର୍ବଶ୍ରୀ ଚିନ୍ତାମଣି ମିଶ୍ର, ସଞ୍ଜୟ, ଶିବନାରାୟଣ ଓ ରାଜା ପ୍ରମୁଖ କଳାକାରମାନେ । ବର୍ଷା ସଞ୍ଜରେ ଏହି କାର୍ଯ୍ୟକ୍ରମଟି ଖୁବ୍ ଉପଭୋଗ୍ୟ ହୋଇଥିଲା । ମଞ୍ଚ ପରିଚାଳନାରେ ସହାୟତା କରିଥିବା ପ୍ରସନ୍ନ କୁମାର ଖୁଣ୍ଟିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।