ପୂର୍ଣ୍ଣମୀରେ ଜଳ ନ ହେଉ ଜହର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଖେଇ ଆସୁଛି କାର୍ତ୍ତିକ ପୂର୍ଣ୍ଣମୀ । ଓଡ଼ିଶା ପରମ୍ପରାରେ ଏହା ଡଙ୍ଗା ଭସାଇବା ଓ ବୋଇତ ବନ୍ଦାଣର ଦିନ । ଅତୀତର ସାଧବ ପୁଅର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିଟି ଓଡ଼ିଆ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ଡଙ୍ଗାକୁ ବନ୍ଦାପନା କରି ବିଭିନ୍ନ ଜଳାଶୟରେ ଭସାଇଥାନ୍ତି । ପରବର୍ତ୍ତୀ ସମୟରେ ଉକ୍ତ ଜଳାଶୟ ଗୁଡ଼ିକର ଅବସ୍ଥା ବିଗିଡି ଯାଇଥାଏ । ଡଙ୍ଗା ଭସାଇବା ସମୟରେ ଲୋକମାନେ ବ୍ୟବହାର କରିଥିବା ଫୁଲ, ଫଳ, ଦୀପ, କଦଳୀ ପଟୁକା ଓ ସୋଲରେ ନିର୍ମିତ ଡଙ୍ଗା ଇତ୍ୟାଦି ଗୁଡିକ ଜଳାଶୟ ମଧ୍ୟରେ ଜମି ଏଗୁଡ଼ିକ ପଚିସଢ଼ି ଆଖପାଖ ଅଞ୍ଚଳ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରିଥାଏ । ଜଳ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ । ନିକଟରେ ଦୀପାବଳି ଉତ୍ସବରେ ବାୟୁ ଜହର ପାଲଟିଲା, ସେହିପରି ‘ପୂର୍ଣ୍ଣମୀରେ ଜଳ ନ ହେଉ ଜହର’ ବୋଲି ପରିବେଶବିତ୍ ସୁଶାନ୍ତ ସାହୁ କହିଛନ୍ତି । ବେଳ ହୁଁ ସାବଧାନ ହେବା ନିତାନ୍ତ ଜରୁରୀ । ନଚେତ୍ ଆଗକୁ ଏ ସ୍ଥିତି ସଙ୍ଗୀନ୍ ହେବା ସୁନିଶ୍ଚିତ ବୋଲି ସେ କହିଛନ୍ତି । ଆଖିକୁ ସୁନ୍ଦର ଓ ଆକର୍ଷଣୀୟ କରୁଥିବା ଥର୍ମୋକୁଲ୍, ଚିକ୍ମିକ୍ ଜରି ଓ ରାସାୟନିକ ରଙ୍ଗ ବ୍ୟବହୃତ ହୋଇଥିବା ଡଙ୍ଗାର ବିକ୍ରିକୁ ସର୍ବପ୍ରଥମେ ନିଷିଦ୍ଧ ହେବା ଦରକାର । ନଚେତ୍ ଏହା ପରିବେଶ ଓ ଜଳଚର ଜୀବ ପାଇଁ ବଡ ବିପଦ ସୃଷ୍ଟି କରିବ । ଏଥିସହିତ ପ୍ରତିଟି ଅଞ୍ଚଳରେ ରହିଥିବା ଜଳାଶୟ ନିକଟରେ ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ନିକଟରେ ଶ୍ରୀ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।