ପୂର୍ଣ୍ଣିମାରେ ଅଗ୍ନି ଉତ୍ସବ

ସନ୍ତୋଷ କୁମାର ଦାଶ
ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ ପାଳିତ ହୋଇ ଆସୁଛି। ତା ମଧ୍ୟରୁ ମାଘ ମାସର ପୂର୍ଣ୍ଣିମା ଅନ୍ୟତମ। ଏହି ପୂର୍ଣ୍ଣିମାକୁ ଅଗିରା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଏହି ଦିନ ପ୍ରତ୍ୟେକ ଗାଁର ପ୍ରଥମ ଅଥବା ଶେଷ ମୁଣ୍ଡ ଠାରେ ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟି ପାଇଁ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। ଏଥି ପାଇଁ ଏହି ପୂର୍ଣ୍ଣିମାକୁ ଅଗିଜଳା ବା ଅଗିରା ପୂର୍ଣ୍ଣିମା କୁହାଯାଇଥାଏ। ଅତୀତରେ ପ୍ରାୟ ପ୍ରତ୍ୟେକ ଗାଁରେ ଚାଳ ଛପର ଘର ରହିଥିଲା। ଗ୍ରୀଷ୍ମ ଋତୁରେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନ ଜୀବନ ହାନି ହେଉଥିଲା। ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟି କଲେ ଅଗ୍ନିକାଣ୍ଡ ବିପତ୍ତିରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ମାଘ ପୂର୍ଣ୍ଣିମା ଦିନ ପ୍ରାୟ ସବୁ ଗାଁରେ ଅଗ୍ନି ଉତ୍ସବ ପାଳନ କରାଯାଇଥାଏ। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ମଧ୍ୟ ଅଗ୍ନି ଉତ୍ସବ ପାଳିତ ହୋଇଥାଏ। ଗାଁର ପିଲା ମାନେ ଘର ଘର ବୁଲି ନଡ଼ା (କୁଟା) ସଂଗ୍ରହ କରିଥାନ୍ତି। ଗାଁର ଶେଷ ଅଥବା ପ୍ରଥମ ମୁଣ୍ଡରେ ଏକ ଖୋଲା ସ୍ଥାନକୁ ଲିପା ପୋଛା କରାଯାଇ ଏକ ବାଉଁଶର ଅଗ (ଅଗିରା)କୁ ପୋତି ତାର ଚତୁର୍ପାଶ୍ଵରେ ଘରୁ ଘରୁ ସଂଗ୍ରହ ହୋଇଥିବା କୁଟା, ନଡ଼ାକୁ ଦେଉଳ ପରି ସଜାଇ ଦିଆଯାଏ। ଏହାକୁ ଅଗିଭାଡ଼ି ବୋଲି କୁହା ଯାଇଥାଏ । ବ୍ରାହ୍ମଣ ଆସି ସେଠାରେ ଅଗ୍ନି ଦେବତାଙ୍କୁ ଫଳ ମୂଳ ଭୋଗ ଲାଗି କରିଥାଆନ୍ତି। ତା ପରେ ଶ୍ରଦ୍ଧାଳୁ ମାନେ ବାଜା ବଜାଇ, ସଙ୍କୀର୍ତ୍ତନ କରି ଏକ ଶୋଭାଯାତ୍ରାରେ ଯାଇ ଗାଁର ବା ନିକଟସ୍ଥ କମାରଶାଳରୁ ଅଗ୍ନି ଅଣା ଯାଇ ଦେଉଳ ପରି ସଜ୍ଜିତ ହୋଇଥିବା କୁଟା, ନଡ଼ାରେ ଅଗ୍ନି ସଂଯୋଗ କରାଯାଏ। ଫଳରେ ଅଗ୍ନି ହୁତ୍ ହୁତ୍ ହୋଇ ଜଳି ଉଠେ ନଡ଼ା କୁଟାର ମନ୍ଦିର ଅଗି ଭାଡ଼ି। ସମସ୍ତେ ହରିବୋଲ ହୁଳହୁଳି ପକାଇବା ସହିତ ଅଗ୍ନି ଦେବତାଙ୍କୁ ମୁଣ୍ଡିଆ ମାରି ନିଜ ନିଜ ଘରକୁ ଅଗ୍ନି ବିପତ୍ତିରୁ ରକ୍ଷା କରିବାକୁ ଗୁହାରି କରିଥାନ୍ତି। ଏଥି ସହିତ ନିଜ ନିଜ ଘରୁ ଆଣିଥିବା ଆଳୁ, ବାଇଗଣ, ଟମାଟୋ, କନ୍ଦମୂଳ, ନଡ଼ିଆ, ସାରୁ ପ୍ରଭୃତିକୁ ସେହି ଜ୍ୱଳନ୍ତ ଅଗ୍ନି ଭିତରକୁ ଫିଙ୍ଗିଥାନ୍ତି। ଅଗ୍ନି ଜଳି ଲିଭି ଯିବା ପରେ ଏ ସବୁ ପୋଡ଼ା ପରିବାକୁ ଅଗ୍ନି ଦେବତାଙ୍କ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । ଅଗି ଭାଡ଼ିର ପୋଡ଼ା ଅଗିରା ବାଉଁଶ ଯେଉଁ ଦିଗକୁ ଢଳି ପଡେ ସେହି ଦିଗରେ ଚଳିତ ବର୍ଷ ଭଲ ଚାଷ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଏହି ଦିନ ଠାରୁ ଶୀତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ଥାଏ ବୋଲି କୁହା ଯାଇଥାଏ । ଅଗିରା ପୂର୍ଣ୍ଣିମାକୁ କୁବେର ସମ୍ପ୍ରଦାୟ ଭକ୍ତି ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ଏହି ଦିନ ତାଙ୍କ ସମ୍ପ୍ରଦାୟର ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାରର ପିଠା ତିଆରି କରା ଯାଇଥାଏ। ଏହି ଦିନ ସଂଧ୍ୟାରେ ବିଭିନ୍ନ ସ୍ଥାନରେ ଥିବା ମହିମା ଗାଦି ମାନଙ୍କରେ ବାବାଙ୍କ ଦ୍ଵାରା ଝାଡ ଉଠି ଥାଏ। ମାଘ ମାସ ପୂର୍ଣ୍ଣିମା ଦିନ ଗାଁ ଗାଁରେ ଅଗ୍ନି ଉତ୍ସବ ପାଳନ ହୋଇ ଆସୁଛି କାହିଁ କେତେ ଆବାହନ କାଳରୁ। ଅଗ୍ନି ଉତ୍ସବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏକ ପର୍ବର ମାନ୍ୟତା ପାଇଛି। ଜୟ ଅଗ୍ନି ଦେବ ନମଃ ନମଃ।।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ