ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ତ୍ତ ବିଭାଗ ପକ୍ଷରୁ ସଦର ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ବିକଶିତ ବାଲେଶ୍ୱର ନିର୍ମାଣର ବାର୍ତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାରଙ୍କ ପକ୍ଷରୁ ଘୋଷିତ ତଥା ପ୍ରସ୍ତାବିତ ବିଭିନ୍ନମୂଳକ କାର୍ଯ୍ୟରେ ପୂର୍ତ୍ତ ବିଭାଗର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ପ୍ରକଳ୍ପଗୁଡିକ ସମୟସୀମା ମଧ୍ୟରେ ସର୍ମ୍ପୂର୍ଣ୍ଣ ହେବାର ଆହଶ୍ୟକତା ରହିଛି । ମାତ୍ର ବିଭାଗୀୟ ଉଦାସୀନତା କାରଣରୁ ସମସ୍ତ ଯୋଜନା ଦିଗହରା ହେବାକୁ ନେଇ ଶ୍ରୀ ଦତ୍ତ ଉଦବେଗ ପ୍ରକାଶ କରିଥିଲ । ଏହି କ୍ରମରେ ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦା ସାରଗାଁ ପଂଚାୟତର ହିଞ୍ଜଳା ଠାରେ ନିର୍ମାଣଧୀନ ଓଡିଶା ଆଦର୍ଶ ବିଦ୍ୟାଳୟର ମନ୍ଥର କାର୍ଯ୍ୟଧାରାର କାରଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଥିଲେ । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବିଗତ ୪ବର୍ଷ ଧରି ଚାଲିବା ପୂର୍ତ୍ତ ବିଭାଗର ଅପାରଗତାକୁ ଦର୍ଶାଉଛି ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ସହରର ଏକାଧିକ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ରାସ୍ତାଗୁଡିକର ଅବସ୍ଥା ଧିରେ ଧିରେ ଶୋଚନୀୟ ହେବାରେ ଲାଗିଛି । ରାସ୍ତା ପାଶ୍ୱର୍ ନାଳ ଉପରେ ସ୍ଲାବ ନ ପଡିବା କାରଣରୁ ବହୁ ପଥଚାରୀଙ୍କ ସମେତ ଗୃହପାଳିତ ପଶୁ ନାଳରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ତୁରନ୍ତ ସମସ୍ତ ନାଳ ଉପରେ ସ୍ଲାବ ପକାଇବାର ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାସ୍ତା ନିର୍ମାଣ ବେଳେ ମାନ ଓ ଗୁଣବତ୍ତା ରକ୍ଷା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ସଜାଗ ରହିବାକୁ ସେ କହିଥିଲେ । ଏହା ସହିତ ବିଭାଗ ପକ୍ଷରୁ ନୂତନ ପ୍ରକଳ୍ପ ହାତକୁ ନେଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ପୂର୍ତ୍ତ ବିଭାଗ (୧)ର ଅଧିକ୍ଷଣ ଯନ୍ତ୍ରୀ ବଙ୍କିମ ପଣ୍ଡା ଓ ପୂର୍ତ୍ତ ବିଭାଗ (୨)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପିନାକୀ ସ୍ୱାଇଁଙ୍କ ସମେତ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ରହି ସଦର ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ତଥ୍ୟ ଉପସ୍ଥାପନ ସହ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଚିତ୍ତରଞ୍ଜନ ପଣ୍ଡା, ରାଜେନ୍ଦ୍ର ଚାଟାର୍ଜୀ, ଶୈଳେନ୍ଦ୍ର ଦାଶ, ମନୋରଞ୍ଜନ ନନ୍ଦି, ଧିରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ଜିତେନ୍ଦ୍ର ପରମାଣିକ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


