ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଅବହେଳାରୁ କର୍ମଚାରୀଙ୍କୁ ମିଳୁନି ପେନସନ

ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ତ୍ତ ବିଭାଗରେ ଦୀର୍ଘ ବର୍ଷଧରି ଚାକିରି କରି ଡିଏଲ୍‌ଆର, ୱାର୍କ ଚାର୍ଜଡ଼୍ ଓ ରେଗୁଲାର୍ କର୍ମଚାରୀଭାବେ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ଇପିଏଫ୍ ପେନ୍‌ସନ ପାଇଁ ବାରମ୍ବାର ଅଫିସକୁ ଦୌଡ଼ି ନରାଶ ହେବା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କର ଇପିଏଫ ଓ ପେନସନ ସଂକ୍ରାନ୍ତୀୟ ସମସ୍ତ ଆବଶ୍ୟକୀୟ କାଗଜପତ୍ର, ମାସିକ/ବାର୍ଷିକ ରିଟର୍ଣ୍ଣ ଇପିଏଫ କମିଶନରଙ୍କୁ ପ୍ରଦାନ କରୁନଥିବାରୁ ଏହି କର୍ମଚାରୀମାନେ ଅଦ୍ୟାବଧି ପେନସନ ପାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏଥିପ୍ରତି ଅଦ୍ୟାବଧି କୌଣସି ଗୁରୁତ୍ୱ ନଦେବା ଯୋଗୁଁ ଅବସରପ୍ରାପ୍ତ ବହୁ ବରିଷ୍ଠ କର୍ମଚାରୀ ବୟସର ଅପରାହ୍ଣରେ ରୋଗରେ ପୀଡ଼ିତ ହୋଇ ବହୁ ଦୁଃଖରେ କାଳାତିପାତ କରୁଛନ୍ତି ।ଏମିତିକି ଇତିମଧ୍ୟରେ ପେନସନ୍ ଆଶାୟୀ କେତେକ କର୍ମଚାରୀ ମୃତ୍ୟୁବରଣ କଲେଣି । ଇପିଏଫ କମିଶନର ପୂର୍ତ୍ତ ବିଭାଗ ଡିଭିଜନ୍‌ରୁ ପ୍ରାୟ ୨କୋଟି ଟଙ୍କା ପେନସନ ବାବଦରେ ଜବତ କରିନେଇଛନ୍ତି । ତଥାପି ବିଭାଗୀୟ ଅଧିକାରୀମାନେ ଅବସରପ୍ରାପ୍ତ କର୍ମଚାରୀଙ୍କ ଆଇନଗତ ଦାବିପ୍ରତି କର୍ଣ୍ଣପାତ କରୁନଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ପେନସନ ବାବଦରେ ଆସନ୍ତା ୧୫ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆ ନଗଲେ ସେମାନେ ବାଲେଶ୍ୱର ପୂର୍ତ୍ତ ବିଭାଗର ୧ନମ୍ବର ଡିଭିଜନ୍ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ପୂର୍ତ୍ତବିଭାଗରୁ ଅବସର ନେଇଥିବା କର୍ମଚାରୀ ସୁଧାଂଶୁବାଳା ମହାପାତ୍ର, ରାମଚନ୍ଦ୍ର ଜେନା, ଭୋଳାନାଥ ଦାସ, ବୀରେନ୍ଦ୍ର ମଲିକ, ଗୋବର୍ଦ୍ଧନ ପରିଡ଼ା, ଉଗ୍ରସେନ ବାରିକ୍‌, ଲକ୍ଷ୍ମଣ ଭୂୟାଁ, ବନମାଳୀ ପାତ୍ର, ଅନିରୁଦ୍ଧ ବାରିକ୍‌, ଗଜେନ୍ଦ୍ର ନାଇକ, ଅନ୍ନପୂର୍ଣ୍ଣା ମହାଳିକ, ସାବିତ୍ରୀ ବେୱା, ସୁକାନ୍ତି ପରିଡ଼ା, ଫୁଲମଣି ଦଳେଇ ଓ ପୂର୍ଣ୍ଣଚନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ