ପୂର୍ବତଟ ରେଳବାଇ ଜୋନ୍କୁ ଦୁର୍ବଳ ନ କରିବା ପାଇଁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂର୍ବତଟ ରେଳବାଇ ବିଭାଗକୁ ବିଭାଜନ ନ କରିବା ଦାବିରେ ଆଇଏନ୍ଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ରତିନିଧି ମଣ୍ଡଳୀ ବିକ୍ଷୋଭ ଶୋଭାଯାତ୍ରାରେ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ୍ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ମୁଖ୍ୟ ଫାଟକ ପାଖରେ ରେଳବାଇ କର୍ତ୍ତୃପକ୍ଷ ଏବଂ ରେଳବାଇ ପୋଲିସ୍ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ୍ କରିବା ପାଇଁ ଛାଡ଼ିନଥିଲେ । ଏଥିପାଇଁ ସେଠାରେ ରେଳବାଇ ପୋଲିସ୍, ଓଡ଼ିଶା ପୋଲିସ୍ ଏବଂ ଆଇଏନ୍ଟିୟୁସି ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଶ୍ରୀ ଚୌଧୁରୀଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।ୱାଲଟିୟର ଡିଭିଜନକୁ ଦକ୍ଷିଣତଟ ରେଳବାଇ ଜୋନ ସହ ମିଶାଇବା ନିଷ୍ପତ୍ତି ଶ୍ରୀ ଚୌଧୁରୀ ପ୍ରତିବାଦ କରି କହିଥିଲେ ଯେ, ରେଳମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଛନ୍ତି । କିନ୍ତୁ ସେ ଓଡ଼ିଶାର ସ୍ୱାର୍ଥବିରୋଧୀ ହୋଇଛନ୍ତି । ୱାଲଟିୟର ଡିଭିଜନ ପୂର୍ବତଟ ରେଳବାଇର ମୁକୁଟ ସଦୃଶ । ୱାଲଟିୟର ଡିଭିଜନକୁ କାଟିଦେଲା ପରେ ପୂର୍ବତଟ ରେଳବାଇ ମସ୍ତକବିହୀନ ହୋଇପଡ଼ିବ ଏବଂ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ରାଜସ୍ୱ ହରାଇବ । ସୁତରାଂ ରେଳମନ୍ତ୍ରୀ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ । କଳାପାହାଡ଼ ଯେପରି ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ଏବଂ ମନ୍ଦିର ସବୁ ଭାଙ୍ଗି ଦେଇଥିଲା, ସେହପରି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳବାଇକୁ ଭାଙ୍ଗି ଦେଉଛନ୍ତି । ଏହି ଅବସରରେ ଆଇଏନ୍ଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଚୌଧୁରୀ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ‘ଆଧୁନିକ କଳାପାହାଡ଼’ ସମ୍ମାନରେ ସମ୍ମାନିତ କରି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜରଙ୍କ ମାଧ୍ୟମରେ ଏକ ମାନପତ୍ର ପ୍ରେରଣ କରିଥିଲେ । ଏଥିସହିତ ଜଗନ୍ନାଥଙ୍କର ଏକ ଫଟୋଚିତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।ସ୍ମାରକପତ୍ରରେ କୁହାଯାଇଛି ଯେ, ପୂର୍ବତଟ ରେଳ ଜୋନ୍ର ୧୧୦୬ କି.ମି. ରାସ୍ତାରୁ ୪୫୦ କି.ମି ବିଜୟୱାଡ଼ା ରେଳ ବିଭାଗ ସହିତ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ନୂତନ ଭାବରେ ଗଠିତ ଆନ୍ଧ୍ରରେ ଥିବା ଦକ୍ଷିଣତଟ ରେଳବାଇ ଅଧିନରେ ଆସୁଛି । ଏହାଦ୍ୱାରା ପୂର୍ବତଟ ରେଳବାଇ ଏହାର ସବୁଠାରୁ ଅଧିକ ରୋଜଗାରକ୍ଷମ ୪୫୦ କି.ମି. ରାସ୍ତା ହରାଇବ । ଯାହାକି ରାଜ୍ୟକୁ ବିପୁଳ ରାଜସ୍ୱ ଓ ରୋଜଗାର ପ୍ରଦାନ କରିବା ସହ ଉତ୍ତମ ପରିବହନ ବିଶାଖା ପାଟଣା ପର୍ଯ୍ୟନ୍ତ ଯୋଗାଇ ଆସୁଛି । ପୂର୍ବତଟ ରେଳବାଇ ଭାଇଜଗ ଇସ୍ପାତ କାରଖାନା, ବିଶାଖା ପାଟଣା ବନ୍ଦର, କନୋର, ଏଚ୍ପିିସିଏଲ୍ ଏବଂ ଗଙ୍ଗାଭରମ ବନ୍ଦର ଭଳି ରାଜସ୍ୱ ଅର୍ଜନ କରୁଥିବା ଉତ୍ସକୁ ମଧ୍ୟ ହରାଇବ । ପୂର୍ବତଟ ରେଳବାଇ ମଧ୍ୟ ଭାରତୀୟ ରେଳବାଇର ଏକ ନମ୍ବର ଜୋନ୍ ହେବାର ଶ୍ରେୟ ହରାଇବ । କାରଣ ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳବାଇ ଭାରତୀୟ ରେଳବାଇର ସର୍ବାଧିକ ରାଜସ୍ୱ ପ୍ରଦାନର ଲକ୍ଷ୍ୟ ପୂରଣ କରୁଥିଲା । ରାୟଗଡ଼ାକୁ ଏକ ନୂତନ ରେଳ ଡିଭିଜନ କରାଯାଇ ପୂର୍ବତଟ ରେଳ ଜୋନ୍ ସହିତ ରଖାଯାଉଛି । ଏହା ଏକ ଲଲି ପପ୍ ସଦୃଶ । କାରଣ ରାୟଗଡ଼ା ଡିଭିଜନର ଯେଉଁସବୁ ଅଞ୍ଚଳ ପ୍ରଦାନ କରାଯାଇଛି, ସେଗୁଡ଼ିକ ଆଗରୁ ପୂର୍ବତଟ ରେଳବାଇ ସହିତ ରହିଛି । ତେଣୁ ପୂର୍ବତଟ ରେଳବାଇକୁ ସ୍ୱତନ୍ତ୍ର ଭାବେ କିଛି ନୂତନ କ୍ଷେତ୍ର ଦିଆଯାଉ ନାହିଁ । ପୂର୍ବତଟ ରେଳବାଇର ୪୫୦ କି.ମି ରାସ୍ତାକୁ ବିଚ୍ଛିନ୍ନ କରି ଆନ୍ଧ୍ରପ୍ରଦେଶର ଦକ୍ଷିଣପଟ ରେଳବାଇ ଯୋଡ଼ି ଦିଆଯାଇଛି । ଏହି ସ୍ମାରକପତ୍ରରେ ରେଳମନ୍ତ୍ରୀଙ୍କ ବିଚାର ପାଇଁ କେତୋଟି ପ୍ରସ୍ତାବ ରଖାଯାଇଛି । (୧) ୱାଲଟିୟର ଡିଭିଜନ ମିଶ୍ରଣ ବିନା ଦକ୍ଷିଣତଟ ରେଳ ଜୋନ୍ ଗଠନରେ ଅସୁବିଧା ନାହିଁ । ଭାରତୀୟ ରେଳରେ ୬ଟି ରେଳଜୋନ୍ର ପ୍ରତ୍ୟେକ ତିନୋଟି ଲେଖାଏଁ ବିଭାଗ ରହିଛି । ସେିହଭଳି ପୂର୍ବତଟ ରେଳବାଇରେ ମଧ୍ୟ ତିନୋଟି ବିଭାଗ ରହିଛି । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ତେଲେଙ୍ଗାନା ଅନ୍ତର୍ଗତ ସିକନ୍ଦରାବାଦର ଦକ୍ଷିଣ କେନ୍ଦ୍ରୀୟ ରେଳଜୋନ୍ରେ ମଧ୍ୟ ତିନୋଟି ରେଳଜୋନ୍ ରହିଛି । ନୂତନ ଆନ୍ଧ୍ରପ୍ରଦେଶ ପାଖରେ ଏବେ ବିଜୟୱାଡ଼ା, ଗୁଣ୍ଟୁର ଓ ଗୁଣ୍ଟକାଲ ଡିଭିଜନ ରହୁଛି । ତେଣୁ ଏହାକୁ ନେଇ ଦକ୍ଷିଣତଟ ରେଳ ଜୋନ୍ କରିବାରେ ଅସୁବିଧା କେଉଁଠି ରହିଛି? ତେଣୁ ୱାଲଟିୟର ଡିଭିଜନକୁ ପୂର୍ବତଟ ଠାରୁ ନନେଇ ମଧ୍ୟ ଏହା ସମ୍ଭବ ହୋଇପାରିବ । (୨) ପୂର୍ବତଟ ରେଳବାଇ ସହିତ ରାଉରକେଲା, ଝାରସୁଗୁଡ଼ା, ଆଇବି, ବ୍ରଜରାଜନଗର, ବାଲେଶ୍ୱରର ମିଶ୍ରଣ । ଯଦି ଭାରତୀୟ ରେଳ ପୂର୍ବତଟ ରେଳପଥରୁ ୪୫୦ କି.ମି ରାସ୍ତା ବିଚ୍ଛିନ୍ନ କରିଦେଉଛନ୍ତି, ତେବେ କ୍ଷତିପୂରଣ ପାଇଁ ରାଉରକେଲା, ଝାରସୁଗୁଡ଼ା ରେଳ ଲାଇନ ଓ ମୟୁରଭଞ୍ଜ, ବାଲେଶ୍ୱର ରେଳ ଲାଇନକୁ ପୂର୍ବତଟ ରେଳଜୋନ୍ ସହିତ ମିଶ୍ରଣ କରନ୍ତୁ । ଯାହାକି ଏବେ ଦକ୍ଷିଣପୂର୍ବ ରେଳ ଅଧିନ (କୋଲକତା)ରେ ଆସୁଅଛି । ସେହିଭଳି ଆଇବି, ବ୍ରଜରାଜନଗର-ବେଲପାହାଡ଼ ଅଞ୍ଚଳକୁ ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳବାଇ, ବିଳାସପୁର (ଛତିଶଗଡ଼)ରୁ ପୃଥକ କରି ପୂର୍ବତଟ ରେଳବାଇ ସହିତ ମିଶ୍ରଣ କରନ୍ତୁ । ଫଳସ୍ୱରୂପ ପୂର୍ବତଟ ରେଳବାଇ ଆତ୍ମନିର୍ଭରଶୀଳ ହେବ ଏବଂ ଏହାର ଅଧିକ କ୍ଷତି ହେବନାହିଁ । (୩) ଉତ୍ତର ଓଡ଼ିଶାରେ ଆଉ ଏକ ଡିଭିଜନ କରାଯାଉ । ଏସ୍ଇଆର ଏବଂ ଏସ୍ଇସିଆରରେ ଭାଗ ଭାଗ ହୋଇଥିବା ସମସ୍ତ ଅଂଶକୁ ଏହି ନୂତନ ଡିଭିଜନରେ ଏକତ୍ର କରନ୍ତୁ । (୪) ରାଇଘର ଡିଭିଜନରେ ସମସ୍ତ କେକେ ଲାଇନକୁ ଅନ୍ତର୍ଭୁକ୍ତ କରାଯାଉ । ବିଶାଖାପାଟଣା ୱାଲଟିୟର ରେଳବାଇ ଡିଭିଜନ ବଦଳରେ ରାୟଗଡ଼ାରେ ଏକ ନୂତନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି । କିନ୍ତୁ ଏହା ଅଧିନରେ କୌଣସି ବନ୍ଦର, ଇସ୍ପାତ କାରଖାନା ଏବଂ ବଡ଼ ବଡ଼ ଶିଳ୍ପବେଲ୍ଟ ନଥିବାରୁ ଏହି ବିଭାଗ ଏକ ସ୍ୱଳ୍ପ ରାଜସ୍ୱ ଆୟ ବିଭାଗ ହେବ । ତେଣୁ ସମୁଦାୟ କେକେ ଲାଇନକୁ ରାୟଗଡ଼ା ବିଭାଗରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । (୫) ୨୦୧୪ ବଜେଟରେ ଗଞ୍ଜାମ ଜିଲ୍ଲାର ସୀତାପଲ୍ଲୀରେ ୱାଗନ କାରଖାନାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ୨୦୧୪ ରେଳ ବଜେଟରେ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ଏକ ୱାଗନ ମରାମତି କାରାଖାନା ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଥିଲା । ରେଳ ମନ୍ତ୍ରଣାଳୟ ଚତୁରତାର ସହ ଅଣ ବିକଶିତ କଳାହାଣ୍ଡି ଜିଲ୍ଲାକୀୁ ଅବହେଳା କରି ବିଶାଖାପାଟଣାର ବଦଲାପୁରୀକୁ ଏହା ସ୍ଥାନାନ୍ତରିତ କରିଛନ୍ତି । ତେଣୁ ଦୟାକରି ନର୍ଲାଠାରେ ଏକ ୱାଗନ ମରାମତି କର୍ମଶାଳା ସ୍ଥାପନ କରାଯାଉ । (୬) ଉତ୍ତର ଓଡ଼ିଶା ଡିଭିଜନ ଗଠନ କରାଯାଉ । ଭାରତୀୟ ରେଳବାଇ କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ କୋଇଲା ଏବଂ ଖଣିଜ ପଦାର୍ଥ ପ୍ରତ୍ୟେକ ଦିନ ଲୋଡ଼ କରୁଛି । ଏହି ଅଞ୍ଚଳରୁ ପ୍ରଚୁର ରାଜସ୍ୱ ଆଦାୟ ହେଉଛି । ତେଣୁ ଓଡ଼ିଶାକୁ ମଜଭୁତ କରିବା ପାଇଁ ଏକ ଉତ୍ତର ଓଡ଼ିଶା ଡିଭିଜନ ଗଠନ କରାଯାଉ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅମିୟ ପାଣ୍ଡବ, ଯୁବ ଆଇଏନ୍ଟିୟୁସିର ସଭାପତି ବିଷ୍ଣୁମୋହନ ରଥ, ସମ୍ପାଦକ ପ୍ରକାଶ ବେହେରା, ପ୍ରକାଶ ମିଶ୍ର, ଗଣେଶ ଦାଶ, ରାହୁଲ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ବୁଲୁ ପତି, ଅମରେଶ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ଦେବରାଜ ମିଶ୍ର, ଆଶିଷ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।