ପୂର୍ବତନ ଅବକାରୀ ଇନ୍‌ସପେକ୍ଟର ପ୍ରଦୀପ ସାହୁଙ୍କ ବିରୋଧରେ ତଦନ୍ତ ଆରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୂର୍ବତନ ଅବକାରୀ ଇନ୍‌ସପେକ୍ଟର ପ୍ରଦୀପ ସାହୁ ତାଙ୍କ କାର୍ଯ୍ୟାଳୟ ଓ ଶୌଚାଳୟ ଭିତରେ ବହୁ ପରିମାଣର ବିଭିନ୍ନ ପ୍ରକାର ମଦ ବେଆଇନଭାବେ ଗଚ୍ଛିତ ରଖିଥିବା ଅଭିଯୋଗ ହୋଇଥିଲା । ସେହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କୁ ସେ ସମ୍ପର୍କରେ ତଦନ୍ତ କରିବାକୁ ଅବକାରୀ କାର୍ଯ୍ୟାଳୟକୁ ପଠାଇଥିଲେ । ତହସିଲଦାରଙ୍କ ରିପୋର୍ଟ ଅନୁଯାଇ ଏକ ନିର୍ଦ୍ଦିଷ୍ଠ ବ୍ରାଣ୍ଡର ମଦ ୨୦ବୋତଲ କମ ରହିଥିବା ସେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସେହି ରିପୋର୍ଟକୁ ଜିଲ୍ଲାପାଳ ରାଜ୍ୟ ଅବକାରୀ ବିଭାଗକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିବା ପରେ ତାଙ୍କୁ ଅବକାରୀ କମିଶନର ନିଲମ୍ବିତ କରିଥିଲେ । ପରେ ତାଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ । କିନ୍ତୁ ଅବକାରୀ ଇନିସପେକ୍ଟର ଶ୍ରୀ ସାହୁ ତାଙ୍କର ସେହି ବଦଳି ଆଦେଶକୁ ପରିବର୍ତ୍ତନ କରି ଜଗତସିଂହପୁର ଜିଲାର ପାରାଦୀପକୁ ବଦଳି ହୋଇ ଆସିଥିଲେ । ତାଙ୍କ ବିରୋଧରେ ବେଆଇନଭାବେ ସରକାରୀ ମଦ ନିଜ କାର୍ଯ୍ୟଳୟ ଓ ଶୌଚାଳୟରେ ରଖିଥିବାରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକ ଏକ ଅଭିଯୋଗ ଟାଉନଥାନାରେ ଦାୟର କରିଥିଲେ । ଥାନାକେଶ ନମ୍ବର ୬୯/୨୦୨୦ରେ ଆଇପିସିର ଧାରା ୪୦୯ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସେହି ମାମଲାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତଦନ୍ତକାରୀ ଅଧିକାରୀ ସାଇମନ୍ ଲାକ୍ରାଙ୍କ ସହିତ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଅଭିଯୁକ୍ତ ଇନ୍‌ସପେକ୍ଟର ଶ୍ରୀ ସାହୁଙ୍କ ସହ ସବ୍ ଇନ୍‌ସପେକ୍ଟର ଅଂଶୁମାନ ଜେନାଙ୍କୁ ଅବକାରୀ କାର୍ଯ୍ୟାଳୟରୁ ସାଥିରେ ନେଇ ଏକ ଅଜଣାସ୍ଥାନକୁ ଚାଲିଯାଇଥିଲେ । ପୂର୍ବତନ କେନ୍ଦ୍ରାପଡା ଅବକାରୀ ଇନିସପେକ୍ଟର ଶ୍ରୀ ସାହୁ ଉଚ୍ଚ ନ୍ୟାୟାଳୟରୁ ଅଗ୍ରୀମ ବେଲ ଆଣିଥିବାରୁ ତାଙ୍କୁ ଗିରଫ କରାନଯାଇ ଛାଡିଦିଆଯାଇଥିବା ଏବଂ ସବଇନିସପେକ୍ଟର ଶ୍ରୀ ଜେନାଙ୍କୁ କେତେକ କାଗଜପତ୍ର ଦାଖଲ କରିବାକୁ ନିର୍ଦେଶ ଦିଆଯାଇ ଛାଡିଦିଆଯାଇଛି ବୋଲି ଏସଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । କିନ୍ତୁ ଗଣମାଧ୍ୟମ ଠାରୁ ସେମାନଙ୍କୁ ଦୂରେଇ ରଖିବା ଓ ଉଭୟଙ୍କୁ ଏକ ଅଜ୍ଞାନ୍ତ ସ୍ଥାନକୁ ନେଇଯିବା ଘଟଣା ପୋଲିସର ନିରପେକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ