ପୂର୍ବତନ ଆଇ.ଆଇ.ପି.ଏ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଜାତୀୟ ସ୍ତରୀୟ ସମ୍ମାନ ଜନକ ପଲ୍ .ଏଚ. ଆପଲ୍.ବାଏ ପୁରସ୍କାର ନିମନ୍ତେ ମନୋନୀତ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ, ସୁନାମଧନ୍ୟ ଲେଖକ, ସ୍ତମ୍ଭକାର, ସମାଜସେବୀ, ବନ୍ଧୁବତ୍ସଳ ତଥା ବର୍ତ୍ତମାନ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ), ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଜାତୀୟ ସ୍ତରୀୟ ସମ୍ମାନଜନକ ପଲ୍. ଏଚ. ଆପଲ୍. ବାଏ ପୁରସ୍କାର ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ) ର ମୁଖ୍ୟ କାର୍ଯ୍ୟାଳୟ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତର ମହାମହିମ ଉପରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କୁ ତାଙ୍କର ସୃଜନଶିଳ ସୃଷ୍ଟି, ଉଦ୍ଯୋଗୀ ମନୋଭାବ, ବିଭିନ୍ନ କମିଟିରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ କାର୍ଯ୍ୟ ସଂପନ୍ନ, କୁଶଳୀ କାର୍ଯ୍ୟଶୈଳୀ ତଥା ସକାରାତ୍ମକ ଯୋଗଦାନ ପାଇଁ ବିଂଶ ଶତାବ୍ଦୀର ଆମେରିକା ଜନ୍ମିତ ଲୋକ ପ୍ରଶାସନର ଏକ ବିରଳ ବ୍ୟକ୍ତିତ୍ୱ ତଥା ସୁନାମଧନ୍ୟ ସାହିତ୍ୟିକ ପଲ୍, ଏଚ. ଆପଲ. ବାଏ ଙ୍କ ସମ୍ମାନରେ ପ୍ରଦାନ କରାଯାଉଅଛି । ଏହି ପୁରସ୍କାର ପାଇବାରେ ଶ୍ରୀଯୁୁକ୍ତ ମିଶ୍ର ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ନଳିନୀ କାନ୍ତ ପଣ୍ଡାଙ୍କ ପରେ ଦ୍ୱିତୀୟ ବ୍ୟକ୍ତି । ଭାରତୀୟ ପୁଲିସ୍ ସେବାରୁ ଅବସର ନେବା ପରେ ଶ୍ରୀଯୁକ୍ତ ମିଶ୍ର ନିଜକୁ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଯୋଗଦାନ ସହ ସୃଜନାତ୍ମକ ରଚନା, ବିଭିନ୍ନ ଅନୁଷ୍ଠାନ ବିଶେଷକରି ଶିକ୍ଷା ଭିତ୍ତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ଏକ ସୁନ୍ଦର ସମାଜ ଗଠନରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀଯୁକ୍ତ ମିଶ୍ର ଭୁବନେଶ୍ୱର ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ୍, କଳିଙ୍ଗ ନଗର ଏବଂ ପୁରୀସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଚେୟାରମ୍ୟାନ୍ ଥିଲା ବେଳେ ବର୍ତ୍ତମାନ ଡି.ଏ.ଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟର ବିଭିନ୍ନ ଡି.ଏ.ଭି ସ୍କୁଲର ପରିଚାଳନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କର ଏହି ସଫଳତାରେ ରାଜ୍ୟର ବୁଦ୍ଧିଜୀବୀ, ପ୍ରଶାସକ, ଶିକ୍ଷାବିତ୍ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।


