ପୂର୍ବତନ କାଉନସିଲର ବୁଦ୍ଧନାଥ ପ୍ରଧାନଙ୍କ ପରଲୋକ

ପିପିଲି (ଯୁଗାବ୍ଦ ନ୍ୟୁଜ୍‍): ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମର ପୂର୍ବତନ କାଉନସିଲର ବୁଦ୍ଧନାଥ ପ୍ରଧାନ(ବାବୁଲି-୪୬)ଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ସେ କିଛିମାସ ଧରି ଗୁରୁତର ଅସୁସ୍ଥ ଥିଲେ । ଗତ ୨୩ ତାରିଖ ରାତିରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କୁ ଘରକୁ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ସେ ୨୦୦୮ ଓ ୨୦୧୩ ମସିହା ପୌର ନିର୍ବାଚନରେ ୧୨ନଂ ୱାର୍ଡରୁ ଦୁଇଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଅତ୍ୟନ୍ତ ସ୍ନେହୀ, ମେଳାପି, ବନ୍ଧୁବତ୍ସଳ ଓ ପରୋପକାରୀ ଯୁବକ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ନିଜ ରାଜନୈତିକ ଜୀବନକାଳରେ ସେ ନିଜ ଗ୍ରାମ ସମେତ ୱାର୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ସାଧାରଣରେ ପ୍ରଶଂସାଭାଜନ ହୋଇ ପାରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ, ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ସନ୍ଦୀପ ମୁଖାଗ୍ନି ଦେଇଥିବା ବେଳେ ପୁତ୍ର, ପତ୍ନୀ, ଝିଅ-ଜ୍ୱାଇଁ, ଭାଇଙ୍କ ସମେତ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ବର୍ଷ ପିପିଲି ମହୋତ୍ସବ ମଞ୍ଚରେ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ମହୋତ୍ସବ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ