ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ବିୟୋଗରେ ସ୍ମୃତିସଭା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ୨ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ବିଜୁ ଜନତା ଦଳର ପୂର୍ବତନ ସଭାପତି ତଥା ଓଷକଣା ଗ୍ରାମ ପଂଚାୟତର ପ୍ରଥମ ସରପଂଚ ଭଗବାନ ଦାସଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମାଜସେବୀ ବିଭୂତି ଭୂଷଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର ଯୋଗ ଦେଇ ଭଗବାନ ଦାସ ହିଁ ଭଗବାନ ଦାସ; ଯିଏ ଭାଗବତର ପ୍ରତିଟି ପ୍ରଂକ୍ତିକୁ ବାଖ୍ୟା କରି ପ୍ରତ୍ୟେକ କ୍ଷେତ୍ରରେ ଜନସାଧାରଣଙ୍କର ଜଟିଳ କାର୍ଯ୍ୟକୁ ସହଜରେ ସମାଧାନ କରିପାରୁଥିଲେ ବୋଲି କହିବା ସହିତ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଜେଡି ବରିଷ୍ଠ ନେତା ନଟବର ପ୍ରଧାନ, ଦିଲ୍ଲିପ ଲେଙ୍କା, ବିଜେଡି ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା, ବିଜେପି ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ ।


