ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ୍ ରିଜର୍ଭ ଇନସିପେକ୍ଟର ଙ୍କୁ ହତ୍ୟା ଏବଂ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟାମ ଘଟଣାରେ ୨୫ ବର୍ଷ ପରେ ସୋମବାର ଚୁଡାନ୍ତ ରାୟ ପ୍ରକାଶ ପାଇଛି । ମୋଟ ୬୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଆଧାର କରି ବ୍ରହ୍ମପୁର ଏଡିଜେ – ୩ କୋର୍ଟର ବିଚାରପତି ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାର ବିଚାରଣା ଚାଲିଥିବା ବେଳେ କେତେକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେଥିରୁ ପୂର୍ବତନ ସରପଂଚ ପି. କାମରାଜୁ ରେଡ୍ଡୀ ଓ କାଳିପଲ୍ଲୀ ପଂଚାୟତର ପୂର୍ବତନ ସମିତିସଭ୍ୟ ଡି. କାମରାଜୁ ବର୍ମା ପକ୍ଷାଘାତ ରୋଗରେ ପିଡୀତ ଅଛନ୍ତି । ପ୍ରକାଶ ଥାଉକି, ୧୯୯୮ ମସିହା ରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ୍ ଜନତା ମୁହାଁମୁହିଁ ହୋଇଥିଲେ । ଗଞ୍ଜାମ ପୋଲିସ୍ ଜିଲ୍ଲାରେ କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନସିପେକ୍ଟର ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା । ଏନେଇ ଅଭିଯୋଗ ପରେ ଥାନାରେ ୧୧୫/୧୯୯୮ ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଶୁଣାଣୀ ହୋଇ ଆଜି ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ବ୍ରହ୍ମପୁର ଏଡିଜେ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ଏଡିଜେ – କୋର୍ଟଙ୍କ ଏଭଳି ବିଚାରଣାକୁ ତୃଟିପୂର୍ଣ୍ଣ ବୋଲି ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିପିଆଇ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ । ୨୦ ବର୍ଷ ପରେ ଏଭଳି ଜର୍ଜମେଣ୍ଟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସହ ସମ୍ପାଦକ ଶ୍ରୀ ଦାଶ କହିଛନ୍ତି । ସେତେବେଳେ ଟାଟା ଜମି ଅଧିଗ୍ରହଣ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ହଠାତ୍ ଏକ ବୋମାମାଡ କି ତାଳ ଫୋଟକା ମାଡ ହୋଇଥିଲା ତାହା କିଏ ଜାଣିନି । ଆଉ ଏଥିରେ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ସମ୍ପୃକ୍ତ ନଥିଲେ । କିନ୍ତୁ ନିର୍ଦ୍ଦୋଷୀଙ୍କୁ ଏଭଳି ଦଣ୍ଡାଦେଶ ତୃଟିପୂର୍ଣ୍ଣ ବୋଲି ସେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଟାଟା ନିଜ କମ୍ପାନୀ କରିବା ପାଇଁ ଲୋକଙ୍କ ଚାଷଜମିକୁ ଅନ୍ୟାୟ ଭାବେ ନେଇଛି । ଆଜି ପର୍ଯ୍ୟନ୍ତ କମ୍ପାନୀ ନିର୍ମାଣ ହୋଇପାରିନି କି ଜମି ନେଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଚାକିରି ଦେଇପାରିନି । ଏହା ନିଶ୍ଚିତ ଭାବେ ଏକ ଅନ୍ୟାୟ । ଆଉ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ଚାଷି ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ବେଳେ ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ନଥିବା ନେଇ ଆଜିର ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ପତ୍ନୀ ତଥା ଗଣ ସଂଗ୍ରାମ ସମିତିର ସଭ୍ୟା ଏନ୍. ଭାନୁମତି ରେଡ୍ଡୀ । ଏନେଇ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଆଇନଜିବୀ କୈଳାଶ ପଲାଇ ଯୋଗ ଦେଇ ଉକ୍ତ ଗଣ ଆନ୍ଦୋଳନ ସମୟରେ ବୋମା ପକାଇଥିବା ବ୍ୟକ୍ତିଙ୍କ ନାମ ଜଣାପଡିନଥିବା ବେଳେ ଚାଷୀ ଓ ଶ୍ରମିକଙ୍କ ପାଇଁ ଆନ୍ଦୋଳନ କରୁଥିବା ନେତାଙ୍କୁ ଏଭଳି ସଜା ମିଳିଥିବାରୁ ଏହାକୁ ତୃଟିପୂର୍ଣ୍ଣ ବୋଲି କହିବା ସହ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ।