ପୂର୍ବତନ ମନ୍ତ୍ରୀ କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଦୀନବନ୍ଧୁ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାରବରପୁତ୍ର,ଓଡିଶାର ପୂର୍ବତନ ମନ୍ତ୍ରୀ,ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଗତ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ବିକାଶ ପୁରୁଷ ଥିଲେ । କେନ୍ଦ୍ରାପଡାର ସାମୁହିକ ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ଓ ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ତାଙ୍କ ରାଜନୈତିକ ଜୀବନରେ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନର ସୁବିଧା କରିବା ସହ କେନ୍ଦ୍ରାପଡାରେ ଶିଳ୍ପାଚଂଳ, ବଳଦେବଜୀଉ ପାୱାରଲୁମ ଓ ବିଚାର ବିଭାଗର ନୂତନ କୋର୍ଟ ପ୍ରତିଷ୍ଠା ଏବଂ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ କରିଥିଲେ । ସେ ସମୟରେ କୃଷିର ଉନ୍ନତି ପାଇଁ ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । କେନ୍ଦ୍ରାପଡାରେ ଇଞ୍ଜିନିଅରିଂ ସ୍କୁଲ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ପରବର୍ତ୍ତି ସମୟରେ ରାଜନୈତିକ ଇଛାଶକ୍ତି ଅଭାବରୁ ସେହି ଇଞ୍ଜିନିଅରିଂ ସ୍କୁଲଟି କେନ୍ଦ୍ରାପଡାରୁ ଉଠିଯାଇଥିଲା । ପରେ ତାଙ୍କରି ଉଦ୍ୟମ ଯୋଗୁଁ ଇଞ୍ଜିନିଅରିଂ ସ୍କୁଲର ସମସ୍ତ କୋଠାବାଡି ଓ ଭୂସମ୍ପତିକୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ରାଜ୍ୟ ସରକାର ହସ୍ତାନ୍ତର କରିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜା ଆନ୍ଦୋଳନ ନେତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମୋକଦ୍ଦମାରେ ସେମାନଙ୍କ ପାଇଁ ଅଦାଲତରେ ବିନାପାରିଶ୍ରମିକରେ ସେମାନଙ୍କ ପାଇଁ ଲଢି ନ୍ୟାୟଦେବାରେ ସହାୟକ ହୋଇଥିଲେ । ଏଥିସହିତ ସେ ଜଣେ ଦରଦୀ ଓ ଭଗବତପ୍ରେମୀ ବୋଲି ବେଶ ଲୋକପ୍ରିୟ ଥିବାର ସୂର୍ଗତ ସାହୁଙ୍କ ଆଜିର ଶ୍ରାଦ୍ଧୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେ କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ଗତ ୧୯୧୦ମସିହା ଅକ୍ଟୋବରମାସ ୧୦ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ଗତ ୧୯୮୦ମସିହା ଅକ୍ଟୋବରମାସ ୭ତାରିଖରେ ତାଙ୍କର ତିରୋଧନ ହୋଇଥିଲା । ଆଜିତାଙ୍କ ଶ୍ରାଦ୍ଧଦିବସ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସୂର୍ଗତ ସାହୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା,ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ,ପୂର୍ବତନ ସଭାପତି ଆଡଭୋକେଟ ଧ୍ରୁବ ଚରଣ ଜେନା,ଆଡଭୋକେଟ ଦେବଦାସ ମହାନ୍ତି,ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତଥା ସମାଜସେବୀ ପ୍ରଦିପ କୁମାର ମହାନ୍ତି,ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ,ରେବତୀରମଣ ଦାସ,ବିଜୟ ଚନ୍ଦ୍ର ପତି,ପୂର୍ବତନ କାଉନସିଲର ଯଯାତିକେଶରୀ ମହାନ୍ତି,ହିରଣ୍ୟ କୁମାର ପଣ୍ଡା,ଶୁକଦେବ ସାହୁ,ମନୋରଞ୍ଜନ ଦାସ,ଶକ୍ତିକାନ୍ତ ପାତ୍ର,ପ୍ରଦୀପ୍ତ ନାୟକ,ଦେବେନ୍ଦ୍ର ଦାସ,ଲକ୍ଷ୍ମଣ ରାଉତ,କାଳନ୍ଦି ଦାସ,ଉପେନ୍ଦ୍ର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ